ମାଉଣ୍ଟ ମାଉଙ୍ଗନୁଇ,ଏଜେନ୍ସି: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ମହିଳା ବିଶ୍ୱକପ-୨୦୨୨ରେ ଭାରତ ନିଜର ପ୍ରଥମ ମୁକାବିଲାରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିଛି। ଭାରତୀୟ ଓପନର ସ୍ମୃତି ମନ୍ଧାନା ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୭୧ଟି ବଲ୍ର ସମ୍ମୁଖୀନ ହୋଇ ୫୦ ରନ୍ ପୂରଣ କରିଛନ୍ତି। ଏଥିରେ ୩ଟି ଚୌକା ଓ ଗୋଟିଏ ଛକା ସାମିଲ ଅଛି।
ଶେଷ ରିପୋର୍ଟ ଲେଖାଯିବା ବେଳକୁ ସ୍ମୃତି ମନ୍ଧାନାଙ୍କ ସହିତ କ୍ରିଜରେ ଅଛନ୍ତି ଦୀପ୍ତି ଶର୍ମା। ଦୀପ୍ତି ୫୬ଟି ବଲ୍ ଖେଳି ୨ଟି ଚୌକା ସହାୟତାରେ ୪୦ ରନ୍ ଯୋଡ଼ିଛନ୍ତି। ପୂର୍ବରୁ ଭାରତ ଶେଫାଳୀ ବର୍ମାଙ୍କୁ ନିଜର ପ୍ରଥମ ୱିକେଟ ଭାବେ ହରାଇଥିଲା। ଶେଫାଳି ୬ଟି ବଲ୍ ଖେଳି ନସାରା ସାନ୍ଧୁଙ୍କ ବଲ୍ରେ ଆଉଟ୍ ହୋଇଥିଲେ। ଭାରତ ନିଜର ସ୍କୋର ୪ ରନ୍ରେ ପ୍ରଥମ ୱିକେଟ ହରାଇଥିଲା। ତେବେ ୨୨ ଓଭର ଶେଷ ସୁଦ୍ଧା ମହିଳା ଟିମ ୯୬ ରନ୍ ସଂଗ୍ରହ କରିସାରିଛନ୍ତି।
ଉଭୟ ଟିମ୍ ୨୦୧୭ ବିଶ୍ୱକପ ପରେ ଦିନିକିଆରେ ଜଣେ ଅନ୍ୟକୁ ସାମ୍ନା କରିଛନ୍ତି। ମାଉଣ୍ଟ ମାଉଙ୍ଗନୁଇରେ ଭାରତୀୟ ମହିଳା ଟିମ ଟସ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଭାରତୀୟ ଟିମ ଆଜି ପାକିସ୍ତାନ ବିପକ୍ଷରେ ବିଜୟରୁ ଅଭିଯାନ କରିବାକୁ ପୂର୍ବରୁ ରଣନୀତି କରିଛି।
ଆଇସିସିର ବର୍ତ୍ତମାନ ରାଙ୍କିରେ ଭାରତ ୪ ନମ୍ବରରେ ରହିଛି। ତେଣୁ ବିଶ୍ୱକପ ଚମ୍ପିଅନ ହେବାର ଅନ୍ୟତମ ଦାବିଦାର କୁହାଯାଉଛି। ପାକିସ୍ତାନ ରାଙ୍କିଙ୍ଗ ତାଲିକାରେ ଅଷ୍ଟମ ସ୍ଥାନରେ ରହିଛି। ୨୦୧୭ ମହିଳା ବିଶ୍ୱକପରେ ଭାରତକୁ ଫାଇନାଲରେ ଇଂଲଣ୍ଡ ଠାରୁ ପରାସ୍ତ ହେବାକୁ ପଡ଼ିଥିଲା। ତେଣୁ ଚଳିତ ବିଶ୍ୱକପରେ ଭାରତ ଚମ୍ପିଅନ ହେବାକୁ ନିଶ୍ଚିତ ରୂପେ ସମସ୍ତ ପ୍ରକାର ରଣକୌଶଳ କରିବ। ଏଥି ପାଇଁ ଭାରତ ୫ ବର୍ଷ ହେବ ଅପେକ୍ଷା କରିଛି। ଅଧିନାୟିକା ମିତାଲି ରାଜ ଓ ଅଭିଜ୍ଞତା ସମ୍ପନ୍ନ ଝୁଲନ ଗୋସ୍ୱାମୀଙ୍କ ଏହା ହେଉଛି ଅନ୍ତିମ ବିଶ୍ୱକପ।