ଋଷ ବିରୋଧି ପ୍ରସ୍ତାବ ଭୋଟରୁ ପୁଣି ବିରତ ରହିଲା ଭାରତ

ୱାଶିଂଟନ,ଏଜେନ୍ସି: ୟୁକ୍ରେନରେ ଧ୍ବଂସଲୀଳା ରଚୁଛି ଋଷିଆ। ରାଜଧାନୀ କିଭ୍‌ ଦଖଲ କରିବାକୁ ଘନ ଘନ ବୋମା ପକାଉଛି ଋଷ। ବିଶେଷକରି ଦେଶର ଦ୍ବିତୀୟ ବୃହତ୍ତମ ସହର ଖାରକିଭରେ ସ୍ଥିତି ଭୟଙ୍କର ରହିଛି। ଯୁଦ୍ଧ ଘନଘଟା ମଧ୍ୟରେ ଏଯାବତ୍ ପାଖାପାଖି ୨୦୦୦ ୟୁକ୍ରେନ ନାଗିରକଙ୍କ ମୃତ୍ୟୁ ଘଟିଥିବାବେଳେ ଯୁଦ୍ଧରେ ବିରାମ ଲଗାଇବାକୁ ପୁଣିଥରେ ଜାତିସଂଘରେ ପ୍ରସ୍ତାବ ଗୃହୀତ ହୋଇଛି । ବୁଧବାର ପୁନର୍ବାର ଜାତିସଂଘରେ ଋଷ ବିରୁଦ୍ଧରେ ଏକ ନିନ୍ଦା ପ୍ରସ୍ତାବ ଆଗତ ହୋଇଥିଲା। ଏଥିରେ ଋଷ ତୁରନ୍ତ ୟୁକ୍ରେନରୁ ନିଜର ସୈନ୍ୟ ପ୍ରତ୍ୟାହାର କରୁ ବୋଲି ଦାବି କରାଯାଇଥିଲା । ହେଲେ ପୂର୍ବଥର ପରି ଏଥର ମଧ୍ୟ ଋଷ ବିରୋଧି ପ୍ରସ୍ତାବ ଉପରେ ଭୋଟ ଦେବାରୁ ବିରତ ରହିଛି ଭାରତ। ନିନ୍ଦା ପ୍ରସ୍ତାବ ଉପରେ ଭୋଟଦାନରୁ ଭାରତ ସମେତ ୩୫ଟି ରାଷ୍ଟ୍ର ନିବୃତ୍ତ ରହିଛନ୍ତି।

ସୂଚନାଯୋଗ୍ୟ, ବୁଧବାର ଆଗତ ପ୍ରସ୍ତାବ ସପକ୍ଷରେ ମୋଟ ୧୪୧ଟି ଭୋଟ ପଡିଥିଲା। ପ୍ରସ୍ତାବର ବିରୋଧରେ ମାତ୍ର ୫ଟି ରାଷ୍ଟ୍ର ଭୋଟ ଦେଇଥିଲେ। ଭାରତ ସମେତ ୩୫ ରାଷ୍ଟ୍ର ଭୋଟ ଦେଇନଥିଲେ ଏବଂ ୧୨ ରାଷ୍ଟ୍ର ଅନୁପସ୍ଥିତ ରହିଥିଲେ। ମତଦାନରୁ ବିରତ ରହିବା ନେଇ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧିତ୍ବ କରୁଥିବା ଟି.ଏସ ତିରୁମୂର୍ତ୍ତୀ କହିଛନ୍ତି, ୟୁକ୍ରେନ ଉପେର ଋଷିଆର ପ୍ରଚଣ୍ଡ ଆକ୍ରମଣ ଜାରି ରହିଥିବାବେଳେ ଭାରତ ମଧ୍ୟ ଏହି ମାନବୀୟ ସଙ୍କଟକୁ ନେଇ ଚିନ୍ତିତ। ତୁରନ୍ତ ଅସ୍ତ୍ରବିରତି ପାଇଁ ଭାରତ ଅନ୍ତରାଷ୍ଟ୍ରୀୟ ସଙ୍ଗଠନର ଆହ୍ବାନ ସମର୍ଥନ କରୁଛି। ହେଲେ ଆଲୋଚନା ଏବଂ କୂଟନୀତି ଜରିଆରେ ୟୁକ୍ରେନ-ଋଷିଆ ବିବାଦର ସମାଧାନ ହୋଇପାରିବ ବୋଲି ଆମେ ଏହି ବିଶ୍ବାସ ଉପରେ କାଏମ ରହିଛୁ।

ପ୍ରକାଶଥାଉ କି, ଜାତିସଂଘରେ ୟୁକ୍ରେନ ସଙ୍କଟ ସଂକ୍ରାନ୍ତୀୟ ମତଦାନ ଉପରେ ଚତୁର୍ଥ ଥର ପାଇଁ ଭାରତ ଏଥିରୁ ବିରତ ରହିଛି। ପୂର୍ବରୁ ସୁରକ୍ଷା ପରିଷଦରେ ତିନି ଥର ଭୋଟିଂ ହୋଇଥିଲା। ନିକଟରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ବିନା ସର୍ତ୍ତରେ ତୁରନ୍ତ ୟୁକ୍ରେନରୁ ଋଷ ସୈନ୍ୟ ପ୍ରତ୍ୟାହାର କରୁ ବୋଲି ପ୍ରସ୍ତାବରେ ଯେତେବେଳେ ଭୋଟିଂ ହୋଇଥିଲେ ଏହି ପ୍ରସ୍ତାବ ଉପରେ ଭିଟୋ ପାୱାର ପ୍ରୟୋଗ ଏହାକୁ ନାକଚ କରିଦେଇଥିଲା ଋଷ।