ଭୁବନେଶ୍ୱର,ଏନ୍ଏନ୍ଏସ୍: ୨୦୨୨-୨୩ ଶିକ୍ଷାବର୍ଷ ଲାଗି ଜେଇଇ ମେନ ପରୀକ୍ଷା ବିଜ୍ଞପ୍ତି ପ୍ରକାଶ ପାଇଛି। ତଦନୁଯାୟୀ ଜେଇଇ ମେନ୍ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି ଏବଂ ତାହା ୩୧ ତାରିଖରେ ପର୍ଯ୍ୟନ୍ତ ଚାଲିବ। ଛାତ୍ରଛାତ୍ରୀମାନେ ସଂଧ୍ୟା ୫ଟା ପର୍ଯ୍ୟନ୍ତ କେବଳ ଆବେଦନ କରିପାରିବେ। ୩୧ ତାରିଖ ରାତି ୧୧ଟା ୩୦ ଭିତରେ ଅନଲାଇନ ମାଧ୍ୟମରେ ଫି’ ଦାଖଲ କରିପାରିବେ। କ୍ରେଡିଟକାର୍ଡ, ଡେବିଟ କାର୍ଡ, ୟୁପିଆଇ ପେମେଣ୍ଟ ମାଧ୍ୟମରେ ଫି’ ଦାଖଲ ହୋଇପାରିବ।
ଦୁଇଟି ସେସନରେ ପରୀକ୍ଷା ହେଉଥିଲେ ମଧ୍ୟ ଜଣେ ପିଲା କେବଳ ଗୋଟିଏ ଥର ଆବେଦନ କରିବାକୁ କୁହାଯାଇଛି। ସେହିଭଳି ପରୀକ୍ଷା କମ୍ପ୍ୟୁଟର ବେସଡ(ସିବିଟି) ମାଧ୍ୟମରେ କରାଯିବ। ପ୍ରଥମ ପର୍ଯ୍ୟୟ ପରୀକ୍ଷା ଏପ୍ରିଲ୍ ୧୬ରୁ ଆରମ୍ଭ ହୋଇ ୨୧ ତାରିଖରେ ସରିବାକୁ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ମେ’ ୨୪ରୁ ୨୯ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଦୈନିକ ଦୁଇଟି ସିଫ୍ଟରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପ୍ରଥମ ସିଟିଂ ପରୀକ୍ଷା ସକାଳ ୯ରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟାରେ ପର୍ଯ୍ୟନ୍ତ, ଦ୍ୱିତୀୟ ସିଟିଂ ପରୀକ୍ଷା ଅପରାହ୍ଣ ୩ଟାରୁ ୬ଟା ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଏନଟିଏ ପକ୍ଷରୁ କୁହାଯାଇଛି।
ଦେଶରେ ଥିବା ସମସ୍ତ ଇଂଜିନିୟରିଂ କଲେଜ, ଆଇଆଇଟି, ଏନଆଇଟି, ଟ୍ରିପଲ ଆଇଟିରେ ନାମଲେଖାଇବା ଲାଗି ଜେଇ ମେନ ପରୀକ୍ଷା କରାଯାଇଥାଏ। ଗତବର୍ଷ ଠାରୁ ଜେଇଇ ମେନ ପ୍ରତିବର୍ଷ ୪ ଥର କରିବାକୁ କେନ୍ଦ୍ର ସରକାର ଯୋଜନା କରିଥିଲେ । ଚଳିତବର୍ଷ ମଧ୍ୟ ସମାନ ଢଙ୍ଗରେ ପରୀକ୍ଷା କରାଯିବ। ୪ଟି ପରୀକ୍ଷାରୁ ଯେଉଁ ପରୀକ୍ଷାରେ ପ୍ରାର୍ଥୀ ଭଲ ନମ୍ବର ରଖିଥିବେ ଏହାକୁ ହିସାବକୁ ନିଆଯିବ।
ଜେଇଇ ମେନରେ ସର୍ବାଧିକ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ପିଲା ଜେଇଇ ଆଡଭାନ୍ସଡ ପରୀକ୍ଷାଦେବା ଲାଗି ମନୋନୀତ ହେବେ। ଏଥିରେ କୃତକାର୍ଯ୍ୟ ହୋଇଥିବା ପିଲା ଆଇଆଇଟି ଓ ଟ୍ରିପଲ ଆଇଟିରେ ପଢିବାକୁ ସୁଯୋଗ ପାଇବେ। ସେହିଭଳି ଯେଉଁମାନେ ଜେଇଇ ମେନରେଙ୍କ ହାସଲ କରିଥିବେ ସେମାନେ ରାଜ୍ୟ ଓ ରାଜ୍ୟ ବାହରର ସରକାରୀଓ ଘରୋଇ ଇଂଜିନିୟରିଂ କଲେଜରେ ନାମଲେଖାଇବାକୁ ଯୋଗ୍ୟ ବିବେଚିତ ହେବେ।
ଗତ ଶିକ୍ଷାବର୍ଷରେ କରୋନା ଲାଗି ପରୀକ୍ଷା ବିଳମ୍ବରେ ହୋଇଥିବା ବେଳେ ଚଳିତବର୍ଷ ଠିକ ସମୟରେ ପରୀକ୍ଷା କରିବା ଲାଗି ଏନଟିଏ ପକ୍ଷରୁ ଯୋଜନା କରାଯାଇଛି। ତେବେ ରାଜ୍ୟରେ +୨ ପରୀକ୍ଷା ଶେଷ ହୋଇ ରେଜଲ୍ଟ ପ୍ରକାଶ ପାଇବା ପୂର୍ବରୁ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଏକ ପ୍ରକାର ଶେଷ ହୋଇ ଯାଇଥିବ ବୋଲି କୁହାଯାଉଛି।