ସାଉଥ୍ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ରୋହିତଙ୍କ ଶତକ, ମଜଭୁତ୍ ସ୍ଥିତିରେ ଭାରତ

ବିଶାଖପାଟଣା: ଟେଷ୍ଟ କ୍ୟାରିୟରରେ ପ୍ରଥମ ଥର ପାଇଁ ଓପନିଂ କରି ଭାରତୀୟ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଶତକ ଅର୍ଜନ ସହ ଏହି ପରୀକ୍ଷାରେ ପାସ୍ ହୋଇଛନ୍ତି। ସ୍ଥାନୀୟ ୱାଇ ଏସ୍ ରାଜଶେଖର ରେଡ୍ଡୀ ଏସିଏ-ଭିଡିସିଏ ଷ୍ଟାଡ଼ିୟମରେ ବୁଧବାରଠାରୁ ଆରମ୍ଭ ହୋଇଥିବା ସାଉଥ୍ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ରୋହିତ ନିଜ ଟେଷ୍ଟ କ୍ୟାରିୟରର ଦ୍ୱିତୀୟ ଇନିଂସ୍ ଆରମ୍ଭ କରିଛନ୍ତି। ସେ ପୂର୍ବରୁ ମିଡଲ ଅର୍ଡରରେ ବ୍ୟାଟିଂ କରୁଥିଲେ। ଏବେ ଓପନିଂ ଭାର ସମ୍ଭାଳିଛନ୍ତି।

ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଭାରତ ପ୍ରଥମ ଦିନର ଷ୍ଟମ୍ପସ ଅପସାରଣ ବେଳକୁ କୌଣସି ୱିକେଟ୍ ନହରାଇ ୨୦୨ ରନ୍ ସଂଗ୍ରହ କରିଛି। ଷ୍ଟମ୍ପସ ଅପସାରଣ ବେଳକୁ ରୋହିତ ଚତୁର୍ଥ ଟେଷ୍ଟ ଶତକ ହାସଲ କରି ୧୧୫ ଓ ମୟଙ୍କ ଅଗ୍ରୱାଲ ୮୫ ରନ୍ ସଂଗ୍ରହ କରି ଅପରାଜିତ ରହିଛନ୍ତି। ପ୍ରଥମ ଦିବସରେ ଟି ପୂର୍ବରୁ ବର୍ଷା ଯୋଗୁଁ ଖେଳ ବାଧାପ୍ରାପ୍ତ ହୋଇଥିଲା। ଏହି ସମୟରେ ୫୯.୧ ଓଭର ଖେଳ ସମ୍ଭବ ହୋଇଥିଲା ଓ ପରେ ବର୍ଷା ନ ଛାଡିବାରୁ ଅବଶିଷ୍ଟ ଖେଳକୁ ବନ୍ଦ କରିଦିଆଯାଇଥିଲା।

ଘରୋଇ ଦଳ ପକ୍ଷରୁ ନୂଆ ଓପନିଂ ଯୋଡି ରୋହିତ ଶର୍ମା ଓ ମୟଙ୍କ ଅଗ୍ରୱାଲ ପାଳି ଆରମ୍ଭ କରିଥିଲେ। ଆରମ୍ଭରୁ ଉଭୟ ବିପକ୍ଷ ବୋଲରଙ୍କୁ ଖେଳିବାରେ ସାମାନ୍ୟ ଅସୁବିଧାର ସମ୍ମୁଖିନ ହୋଇଥିଲେ। କିନ୍ତୁ ସେଟ୍ ହେଲାପରେ ଏହି ଦୁଇ ବ୍ୟାଟ୍ସମ୍ୟାନ୍ ଭ୍ରମଣକାରୀ ବୋଲରଙ୍କୁ କୌଣସି ସୁଯୋଗ ଦେଇନଥିଲେ। ମୟଙ୍କ ମନ୍ଥର ବ୍ୟାଟିଂ କରୁଥିବା ବେଳେ ରୋହିତ ଚିରାଚରିତ ବ୍ୟାଟିଂ କରିଥିଲେ। ଉଭୟ ଅର୍ଦ୍ଧଶତକ ହାସଲ କରିଥିଲେ। ପରେ ରୋହିତ ଶତକ ଅର୍ଜନ କରିଥିଲେ।

ରୋହିତ ୧୭୪ଟି ବଲରୁ ୧୨ଟି ଚୌକା ଓ ୫ଟି ଛକା ସହାୟତାରେ ୧୧୫ ରନ୍ କରିଥିଲେ। ମୟଙ୍କ ୧୧ଟି ଚୌକା ଓ ୨ଟି ଛକା ମାରିଥିଲେ। ଏହି ଯୋଡିକୁ ଭାଙ୍ଗିବା ପାଇଁ ସାଉଥ୍ ଆଫ୍ରିକାର ୫ ବୋଲର ଭର୍ଣ୍ଣନ ଫିଲାଣ୍ଡର, କାଗିସୋ ରାବଡା, କେଶବ ମହାରାଜ, ଡେନ୍ ପିଏଡଟ୍ ଓ ଡେବ୍ୟୁଟାଣ୍ଟ ସ୍ପିନର ସେନୁରନ୍ ମୁଥୁସ୍ୱାମୀ ପ୍ରୟାସ କରି ବିଫଳ ରହିଥିଲେ। ଏହି ମ୍ୟାଚ୍ରେ ସାଉଥ୍ ଆଫ୍ରିକା ୩ ସ୍ପିନର ଏବଂ ୨ଜଣ ଫାଷ୍ଟ ବୋଲରଙ୍କୁ ଖେଳାଇଛି। ପ୍ରଥମ ଦିନ ବଲ ଟର୍ଣ୍ଣ କରିଥିଲେ ମଧ୍ୟ ମହାରାଜଙ୍କୁ ଛାଡିଦେଲେ ଅନ୍ୟ କେହି ପ୍ରଭାବ ବିସ୍ତାର କରିବାରେ ସମର୍ଥ ହୋଇ ନାହାନ୍ତି।