ମଣିପୁର: ମଣିପୁର ବିଧାନସଭା ନିର୍ବାଚନ ପାଇଁ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଘୋଷଣା ପତ୍ର ଜାରି କରିଛନ୍ତି । ଏଥିରେ ମହିଳା ଓ ଗରିବଙ୍କ ସଶକ୍ତିକରଣ ପାଇଁ ପୀଏମ ଉଜ୍ଜ୍ୱଳା ଲାଭାର୍ଥୀଙ୍କୁ ମାଗଣାରେ ୨ଟି ଏଲପିଜି ସିଲିଣ୍ଡର ପ୍ରଦାନ କରାଯିବ । କଲେଜ ଯାଉଥିବା ସମସ୍ତ ମେଧାବୀ ଛାତ୍ରୀଙ୍କୁ ମାଗଣାରେ ସ୍କୁଟି ଉପଲବ୍ଧ କରାଯିବ । ମଣିପୁରର ସମସ୍ତ ମତ୍ସ୍ୟଜୀବୀଙ୍କୁ ୫ଲକ୍ଷ ଟଙ୍କାର ମାଗଣା ଦୁର୍ଘଟଣା ବୀମା ପ୍ରଦାନ କରାଯିବ । ଇଡବ୍ଲ୍ୟୁଏସ ଓ ପଛୁଆ ବର୍ଗ ଝିଅଙ୍କୁ ଶିକ୍ଷା ଓ ବିକାଶ ପାଇଁ ୨୫ ହଜାର ଟଙ୍କାର ପ୍ରୋତ୍ସାହନ ମିଳିବ । ଦ୍ୱାଦଶ ପାସ୍ କରୁଥିବା ସମସ୍ତ ମେଧାବୀ ଛାତ୍ରଙ୍କୁ ମାଗଣାରେ ଲ୍ୟାପଟପ୍ ଦିଆଯିବ । ଉଚ୍ଚ ଶିକ୍ଷା ପାଇଁ ଏହା ତାଙ୍କର ପ୍ରବେଶ ଦ୍ୱାର ହେବ । ବରିଷ୍ଠ ନାଗରିକଙ୍କ ମାସିକ ପେନସନକୁ ୨୦୦ ଟଙ୍କାରୁ ବଢ଼ାଇ ହଜାରେ ଟଙ୍କା କରି ଦିଆଯିବ ।
ସେହିପରି ପିଏମ୍ କିସାନ ଯୋଜନା ଅନ୍ତର୍ଗତ ଆର୍ଥିକ ସହାୟତା ୬ ହଜାର ଟଙ୍କାରୁ ବଢ଼ାଇ ୮ ହଜାର ଟଙ୍କା କରାଯିବ । ରୋଜଗାରର ସୁବିଧା ପାଇଁ କୁଶଳ ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯିବ । ଚିକିତ୍ସା ପାଇଁ ଲୋକଙ୍କୁ ଯେପରି ଗୌହାଟୀ ଓ କୋଲକାତା ଯିବାକୁ ନପଡ଼େ ସେଥିପାଇଁ ମଣିପୁରରେ ଏମ୍ସ ଖୋଲିବ । ରାଜ୍ୟରେ ‘ଏକ ଉପମଣ୍ଡଳ ଓ ଏକ ଉତ୍ପାଦ’ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଯିବ । ଉତ୍ପାଦର ଚାହିଦା ବଢ଼ାଇବା ପାଇଁ ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ବଜାର କରାଯିବ ବୋଲି ବିଜେପି ଘୋଷଣା କରିଛି ।