ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ସଂରକ୍ଷକ ମୁଲାୟମ ସିଂହ ଯାଦବ ଦୀର୍ଘ ଦିନ ପରେ ସାର୍ବଜନିକ ସଭାକୁ ସମ୍ବୋଧିତ କରିଛନ୍ତି । ମୁଲାୟମ ସିଂହ ଯାଦବ ମେନପୁରୀର କେରହଲରେ ସପାର କାର୍ଯ୍ୟକର୍ତ୍ତା ସମ୍ମିଳନୀକୁ ସମ୍ବୋଧିତ କରିଥିବା ଜଣାପଡ଼ିଛି । ଏଠାରେ ସେ ପୁଅ ତଥା ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ପାଇଁ ମଧ୍ୟ ପ୍ରଚାର କରିଛନ୍ତି । କୃଷକ, ଯୁବବର୍ଗ ଓ ବ୍ୟବସାୟୀ ହିଁ ଦେଶକୁ ମଜଭୁତ କରିପାରିବେ ବୋଲି ମୁଲାୟମ କହିଛନ୍ତି ।
ମୁଲାୟମ ସିଂହ ଯାଦବ ଆହୁରି କହିଛନ୍ତି ଯେ, ଦେଶର ଯୁବା ବେରୋଜଗାର ଥିବାରୁ ସେମାନଙ୍କୁ ଚାକିରି ମିଳିବା ଉଚିତ । ଯୋଗୀ ସରକାର ଏହା କରୁନାହାନ୍ତି । ରାଜ୍ୟରେ ସମାଜବାଦୀ ପାର୍ଟି ସରକାର ଗଢ଼ିଲେ ଚାକିରି ବ୍ୟବସ୍ଥା କରାଯିବ ବୋଲି ମୁଁ ବିଶ୍ୱାସ ଦେଉଛି । କୃଷକଙ୍କୁ ପ୍ରାଧାନ୍ୟ ଦିଆଯାଉ । କୃଷକଙ୍କ ପାଇଁ ସାର ଓ ବୀଜ ବ୍ୟବସ୍ଥା କରିବା ସହ ତାଙ୍କ ଫସଲ ବିକିବା ବ୍ୟବସ୍ଥା ମଧ୍ୟ କରାଯାଉ ।
ସୂଚନାଯୋଗ୍ୟ, କରହଲରେଫେବୃଆରୀ ୨୦ରେ ଭୋଟିଂ ହେବ । ଏଠାରୁ ସମାଜବାଦୀ ପାର୍ଟି ତରଫରୁ ଅଖିଳେଶ ଯାଦବ ପ୍ରାର୍ଥୀ ହୋଇଥିବାବେଳେ ବିଜେପି ତରଫରୁ କେନ୍ଦ୍ରମନ୍ତ୍ରୀ ଏସପି ସିଂହ ବଘେଲ ଲଢ଼ିବେ । ଏହି ପରିପ୍ରେକ୍ଷୀରେ ଆଜି ଏସପି ସିଂହ ବଘେଲଙ୍କ ପାଇଁ ଗୃହମନ୍ତ୍ରୀ ଅମିତ ଶାହ ପ୍ରଚାର କରିବା ସହସମାଜବାଦୀ ପାର୍ଟିକୁ ଟାର୍ଗେଟ କରିଥିଲେ ।