ଭାରତ ବନାମ ଓ୍ବେଷ୍ଟ୍‌ ଇଣ୍ଡିଜ୍: ଆଜି ପ୍ରଥମ ଟି-ଟ୍ବେଣ୍ଟି ଫାଇଟ

କୋଲକାତା,ଏଜେନ୍ସି: ଘରୋଇ ଭାରତ ଓ ୱେଷ୍ଟ୍ ଇଣ୍ଡିଜ୍ ମଧ୍ୟରେ ଆଜି (ବୁଧବାର) ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ। ଦିନିକିଆ ସିରିଜ ମୂଳପୋଛ କରିବା ପରେ ଭାରତୀୟ ଦଳର ନଜର ଏବେ ଛୋଟ ଫର୍ମାଟରେ ରହିଛି। ରୋହିତ ବାହିନୀ ଦିନିକିଆର ଦମଦାର ପ୍ରଦର୍ଶନକୁ ଟି-ଟ୍ବେଣ୍ଟି ସିରିଜରେ ଦୋହରାଇବାକୁ ପ୍ରସ୍ତୁତ ହୋଇଛି। ଅନ୍ୟପଟେ ଦିନିକିଆରେ ପରାସ୍ତ ହୋଇଥିବା ଇଣ୍ଡିଜ ଟି-ଟ୍ବେଣ୍ଟି ଫର୍ମାଟରେ ବେଶ ଶକ୍ତିଶାଳୀ। ଏକାଧିକ ଅଲରାଉଣ୍ଡରଙ୍କୁ ନେଇ ଖେଳୁଥିବା ଭ୍ରମଣକାରୀ ଦଳ ଆଜି ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବ।

ଟି-ଟ୍ବେଣ୍ଟି ଆରମ୍ଭ ପୂର୍ବରୁ ଉଭୟ ଦଳ ପାଇଁ କିଛି ସମସ୍ୟା ମୁଣ୍ଡ ଟେକିଛି। ଲୋକେଶ ରାହୁଲ ଆହତ ହୋବାରୁ ଦଳରୁ ବାଦ ପଡିଛନ୍ତି। ୱାଶିଂଟନ ସୁନ୍ଦର ମଧ୍ୟ ଆହତ ହୋଇଛନ୍ତି। ରୋହିତଙ୍କ ସହ ଆଉ ଜଣେ ଯୁବ ଓପନରଙ୍କୁ ସୁଯୋଗ ମିଳିବ। ପୂର୍ବ ପ୍ରଦର୍ଶନକୁ ଦେଖିବା ଆଜିର ମ୍ୟାଚରେ ଇଷାନ କିଷନଙ୍କୁ ଓପନିଂର ସୁଯୋଗ ମିଳିପାରେ। ଋତୁରାଜ ଗାଏକ୍ବାର୍ଡ ଭଲ ଫର୍ମରେ ଅଛନ୍ତି । ତଥାପି ତାଙ୍କୁ ଖେଳିବାକୁ ସୁଯୋଗ ମିଳିନାହିଁ। ମୋଟିମୋଟି କହିବାକୁ ଗଲେ ଭାରତ ପାଇଁ ଚୂଡାନ୍ତ ଏକାଦଶରେ ଏକପ୍ରକାର ସମସ୍ୟା ଉପୁଜିଛି।

ସେପଟେ ଇଣ୍ଡିଜ ଦଳରେ ମଧ୍ୟ ଆହତ ସମସ୍ୟା ଲାଗି ରହିଛି। ଅଧନାୟକ କିରେନ ପୋଲାର୍ଡ ଏ ପର୍ଯ୍ୟନ୍ତ ଫିଟ ଘୋଷିତ ହୋଇ ନାହାନ୍ତି। ସେ ପ୍ରଥମ ଦିନିକିଆରେ ଆହତ ହୋଇଥିଲେ। ପରବର୍ତ୍ତୀ ଦୁଇଟି ମ୍ୟାଚରେ ନିକୋଲାସ ପୂରନ ନେତୃତ୍ବ ନେଇଥିଲେ। ପୋଲାର୍ଡଙ୍କ ଅନୁପସ୍ଥିତି ଦଳକୁ ପ୍ରଭାବିତ କରିବା ନିଶ୍ଚିନ୍ତ।