ଢଳେଇ ବେଳେ ଛାତରୁ ଖସି ନାବାଳକ ଶ୍ରମିକ ମୃତ

ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ଥାନା ଅନ୍ତର୍ଗତ ଡାଁରା ଗ୍ରାମ ଅଷ୍ଟପ୍ରହରୀ ମଣ୍ଡପ ଛାତ ଢ଼ଳେଇ ବେଳେ ଛାତରୁ ଖସି ପଡି ଜଣେ ଶ୍ରମିକର ମୃତ ଘଟିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଦଁରା ଗ୍ରାମର ନିର୍ମାଣଧୀନ ଅଷ୍ଟ ପ୍ରହରୀ ମଣ୍ଡପର ଆଜି ଛାତ ଢ଼ଳେଇ କାର୍ଯ୍ୟ ଚାଲିଥିଲା। ଏହି କାର୍ଯ୍ୟରେ ଶ୍ରମିକ ଭାବେ ନିୟୋଜିତ କାଦପଡା ମସିନ୍ତା ଗ୍ରାମର ୧୬ ବର୍ଷୀୟ ବୁଧୁଆ ମୁଣ୍ଡା କୌଣସି କାରଣ ବଶତଃ ଛାତରୁ ତଳକୁ ଖସି ଗୁରୁତର ହୋଇପଡ଼ିଥିଲେ।

ପାଖରେ ଥିବା ଅନ୍ୟ ଶ୍ରମିକମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ବାରକୋଟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ବୁଧୁଆକୁ ମୃତ ଘୋଷଣା କରିଥିଲେ। ସୂଚନାପାଇ ବାରକୋଟ ଥାନା ପୁଲିସ ମୃତ ଦେହ ଜବତ କରିବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।