ଶିଲିଂ,ଏଜେନ୍ସି: ମେଘାଳୟରେ ବଡ଼ଧରଣର ରାଜନୈତିକ ଓଲଟପାଲଟ ଦେଖିବାକୁ ମିଳିଛି। କଂଗ୍ରେସକୁ ବଡ଼ ଝଟକା ଦେଇ ୫ ଜଣ ବିଧାୟକ ବିଜେପି ସମର୍ଥିତ ମେଣ୍ଟ ‘ମେଘାଳୟ ଜନତାନ୍ତ୍ରିକ ମେଣ୍ଟ’ରେ ସାମିଲ ହୋଇଛନ୍ତି। ଏମ୍ଡିଏ ରାଜ୍ୟରେ କ୍ଷମତାସୀନ ମେଣ୍ଟ ସରକାର। କଂଗ୍ରେସ ଛାଡି ଏମ୍ଡିଏରେ ଯୋଡ଼ି ହୋଇଥିବା ବିଧାୟକମାନେ ହେଲେ ଅମ୍ପାରିନ୍ ଲିଙ୍ଗଦୋହ, ମାୟରଲବୋର୍ନ ସିଏମ୍, ମୋହେନ୍ଦ୍ରୋ ରାପସାଙ୍ଗ, କିମ୍ଫା ମାରବାନିୟାଙ୍ଗ ଓ ପିଟି ସାକମୀ।
କଂଗ୍ରେସ ଛାଡ଼ିବା ପରେ ବିଧାୟକ ଅମ୍ପାରିନ ଲିଙ୍ଗଦୋହ ପାର୍ଟି ଉପରେ ଠକେଇ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ଆମକୁ ଧୋକା ମିଳିବାରୁ ଭିନ୍ନ ପଦକ୍ଷେପ ନେଇଛୁ। ଜନତା ଆମକୁ ବିଜୟ ଦେଇଛନ୍ତି। କଂଗ୍ରେସ ଆମକୁ ଠକିଛି ବୋଲି ସେ କହିଛନ୍ତି।
ମଙ୍ଗଳବାର ଏହି ୫ ଜଣ ବିଧାୟକ ମେଘାଳୟର ମୁଖ୍ୟମନ୍ତ୍ରୀ କୋନରାଡ ସଙ୍ଗମାଙ୍କୁ ଏକ ଦସ୍ତଖତ ସମ୍ବଳିତ ପତ୍ର ହସ୍ତାନ୍ତର କରିଛନ୍ତି। ସୂଚନାଯୋଗ୍ୟ, ମେଘାଳୟ ଡେମୋକ୍ରେଟିକ୍ ଏଲାଇନ୍ସ ରାଜନୈତିକ ଦଳର ଏକ ମେଣ୍ଟ, ଯାହାକୁ ୨୦୦୩ ବିଧାନସଭା ନିର୍ବାଚନ ପରେ ମେଘାଳୟ ସରକାର ଗଢ଼ିଥିଲେ। ସେହି ସମୟରେ ଭାରତୀୟ ଜାତୀୟ କଂଗ୍ରେସ ଏହାର ଅଧ୍ୟକ୍ଷତା କରିଥିଲା।