ଇସଲାମବାଦ,ଏଜେନ୍ସି: ଋଷ ଗସ୍ତ କରିବେ ପାକ୍ ପ୍ରଧାନମନ୍ତ୍ରୀ। ଚଳିତ ମାସରେ ଋଷ ଗସ୍ତ କରିବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ୨୩ ବର୍ଷ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଯାତ୍ରା ହେବ ବୋଲି ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିମନ୍ତ୍ରଣ ରକ୍ଷା କରି ଏହି ଗସ୍ତ କରିବେ ଇମ୍ରାନ।
ଏହି ଗସ୍ତ ସମୟରେ ଇମ୍ରାନ ଖାନ ତାଙ୍କ କ୍ୟାବିନେଟ ମନ୍ତ୍ରୀଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧଙ୍କ ସହ ଯୋଗ ଦେବେ। ମାର୍ଚ୍ଚ ୧୯୯୯ରେ ତତ୍କାଳୀନ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଋଷ ଗସ୍ତରେ ଯାଇଥିଲେ। ଋଷ ଗସ୍ତ କରିବାରେ ଦେଶର ଶେଷ ପ୍ରଧାନମନ୍ତ୍ରୀ ହୋଇଥିଲେ ନୱାଜ ସରିଫ। ଗତ ମାସରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଗସ୍ତ ପାଇଁ ଏକ ଯୋଜନା ଶେଷ କରିବାକୁ ମସ୍କୋ ଏବଂ ଇସଲାମବାଦ ଆଲୋଚନା ଚାଲିଥିବା ଖବର ପ୍ରକାଶ ପାଇବା ପରେ ଏହି ଖବର ଆସିଛି।
ଇମ୍ରାନ ଖାନ ପୁଟିନଙ୍କୁ ଏକ ଆନୁଷ୍ଠାନିକ ନିମନ୍ତ୍ରଣ ଦେଇ ସାରିଥିବା ଏକ ଖବରକାଗଜ ରିପୋର୍ଟରେ ପ୍ରକାଶ ପଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଗତ ମାସରେ ଟେଲିଫୋନିକ ବାର୍ତ୍ତାଳାପରେ ପୁଟିନଙ୍କୁ ନିମନ୍ତ୍ରଣ ଦେଇଥିଲେ। ପୁଟିନଙ୍କ ଗସ୍ତ ନେଇ ଗତ ଦୁଇ ବର୍ଷ ଧରି ଆଲୋଚନା ହୋଇଥିଲା କିନ୍ତୁ କୋରୋନା ମହାମାରୀ ସମେତ ଅନେକ କାରଣରୁ ତାହା ସମ୍ଭବ ହୋଇ ପାରିନଥିଲା। ଆଗକୁ ଋଷ ରାଷ୍ଟ୍ରପତି ଯେବେ ପାକିସ୍ତାନ ଗସ୍ତ କରିବେ ସେତେବେଳେ ସେ କିଛି ବଡ ପ୍ରୋଜେକ୍ଟ କିମ୍ବା ଅନ୍ୟାନ୍ୟ ପଦକ୍ଷେପ ଘୋଷଣା କରିବେ ବୋଲି ଆଶା କରାଯାଉଛି।