ବିଏସ୍‌ଏଫ୍‌କୁ ସଫଳତା: ଯବାନଙ୍କ ଗୁଳିରେ ଟଳିଲେ 3 ପାକିସ୍ତାନୀ ଡ୍ରଗ୍ସ ବେପାରୀ

ଶ୍ରୀନଗର,ଏଜେନ୍ସି: ଜମ୍ମୁ-କଶ୍ମୀରରେ ବିଏସ୍‌ଏଫ୍ ଯବାନକୁ ବଡ ସଫଳତା। ଗତକାଲି(ରବିବାର) ହେରୋଇନ ଚୋରା ଚାଲାଣ ବେଳେ ଜମ୍ମୁ ଓ କଶ୍ମୀରର ସାମ୍ବା ସେକ୍ଟର୍‌ ଅନ୍ତର୍ଗତ ଆନ୍ତର୍ଜାତିକ ସୀମାରେ ବିଏସ୍‌ଏଫ୍‌ ଗୁଳିରେ ୩ଜଣ ପାକିସ୍ତାନୀ ଡ୍ରଗ୍ସ ବେପାରୀଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ନିକଟରୁ ବିପୁଳ ପରିମାଣର ମାଦକ ପଦାର୍ଥ ଜବତ କରାଯାଇଛି। ପ୍ରାୟ ୩୬ କେଜିର ହେରୋଇନ ଜବତ ହୋଇଛି, ଯାହାର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ୧୮୦ କୋଟି ଟଙ୍କା ବୋଲି ଜଣାପଡିଛି।

ସୀମା ସୁରକ୍ଷା ବାହିନୀର ଇନ୍ସପେକ୍ଟର ଜେନେରାଲ ଡି.କେ ବୋରା କହିଛନ୍ତି ଯେ, ୨୦୨୧ ପରଠାରୁ ଆଜି ଯାଏଁ ସମୁଦାୟ ନଅ ଜଣ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ମୃତ୍ୟୁ ଘଟିଛି। ବିଏସଏଫ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ରବିବାର ଦିନ ତିନି ଜଣ ସୀମା ଆରପଟୁ ବେଆଇନ ଭାବେ ମାଦକ ଦ୍ରବ୍ୟ ଧରି ଭାରତରେ ପ୍ରବେଶ ପାଇଁ ଉଦ୍ୟମ କରୁଥିଲେ। ଏହାପରେ ଯବାନମାନେ ସେମାନଙ୍କୁ ଅଟକାଇବା ପାଇଁ ପ୍ରୟାସ କରିଥିଲେ କିନ୍ତୁ ସେମାନେ ଅଟକି ନଥିଲେ। ପରେ ସୁରକ୍ଷାକର୍ମୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତିନି ଜଣଙ୍କୁ ମାରିବାରେ ସଫଳ ହୋଇଥିଲେ।

ହେରୋଇନ ବ୍ୟତୀତ ସେମାନଙ୍କ ଠାରୁ ୯ ମିମି ପିସ୍ତଲ, ନଅ ରାଉଣ୍ଡ ଗୁଳି, ୯୮୨୦ ପାକିସ୍ତାନୀ ମୁଦ୍ରା, ଏକ ଛୁରୀ ଏବଂ ପାକିସ୍ତାନରେ ତିଆରି କପ ସିରପ ଜବତ କରାଯାଇଛି। ଏହାପରେ ସମ୍ପୃକ୍ତ ଅଞ୍ଚଳରେ ବିଏସଏଫ ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡକାଡି କରାଯାଇଛି।