ଓୱେସୀଙ୍କ ଗାଡିକୁ ଗୁଳିମାଡ ଘଟଣା: ଆଜି ସଂସଦରେ ବିବୃତ୍ତି ରଖିବେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ଉତ୍ତର ପ୍ରଦେଶ ମିରଟରେ ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସୀଙ୍କ କାରକୁ ଗୁଳିମାଡ ଘଟଣାରେ ଆଜି(ସୋମବାର) କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ସଂସଦରେ ବିବୃତ୍ତି ରଖିବେ। ଫେବୃଆରୀ ୩ରେ ଅସଦୁଦ୍ଦିନ ଓଓ୍ବେସୀ ଏକ ନିର୍ବାଚନୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ସମୟରେ ତାଙ୍କ ଗାଡିକୁ ଗୁଳିମାଡ ହୋଇଥିଲା । ପ୍ରାୟ ୩ ରୁ ୪ ରାଉଣ୍ଡ ଗୁଳି ଫାଏରିଂ ହୋଇଥିଲା।

ଘଟଣାକୁ ନେଇ ଆଜି ରାଜ୍ୟସଭାରେ ପୂର୍ବାହ୍ନ ୧୦ଟା ୩୦ ଓ ଲୋକସଭାରେ ଅପରାହ୍ନ ୪ଟାରେ ବିବୃତ୍ତି ରଖିବେ ଗୃହମନ୍ତ୍ରୀ ଅମିତ ଶାହା। ଓୱେସିଙ୍କ କାରକୁ ଗୁଳିମାଡ ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇଜଣ ହେଲେ ବାଦଲପୁରର ବାସିନ୍ଦା ସଚିନ ଶର୍ମା ଏବଂ ସାହାରନପୁରର ଶୁଭମ୍।

ଏହି ଘଟଣା ପରେ ଓଓ୍ବେସୀ ଲୋକସଭାରେ ତାଙ୍କ ପାଖରୁ Z କାଟାଗୋରି ସୁରକ୍ଷା ଫେରାଇ ନେବାକୁ କହିଥିଲେ। ମରଣକୁ ଡର ନାହିଁ। ସାଧାରଣ ଲୋକ ପରି ବ୍ୟବହାର କରାଯାଉ ଏବଂ ନ୍ୟାୟ ଦରକାର ବୋଲି କହିଥିଲେ ଓୱେସୀ। ଗୁଳିମାଡ ପରେ ସରକାରଙ୍କ ପକ୍ଷରୁ ତାଙ୍କୁ ଜେଡ ସ୍ତରୀୟ ସୁରକ୍ଷା ଯୋଗାଇ ଦିଆଯାଇଛି।

ପ୍ରକାଶ ଥାଉ କି, ଗତ ଫେବ୍ରୁଆରୀ ୩ ତାରିଖରେ ମିରଟର କୈଥଡ ଅଞ୍ଚଳରେ ଏକ ନିର୍ବାଚନୀ କାର୍ଯ୍ୟକ୍ରମ ସାରି ସେ ଦିଲ୍ଲୀ ଫେରୁଥିବା ସମୟରେ ଆକ୍ରମଣର ଶିକାର ହୋଇଥିଲେ ଓୱେସୀ। ତାଙ୍କ କାର ଦିଲ୍ଲୀ ଅଭିମୁଖେ ବଢୁଥିବାବେଳେ ଚାଜାର୍ସୀ ଟୋଲ୍ ପ୍ଲାଜା ନିକଟରେ ଦୁଇ ଜଣ ବ୍ୟକ୍ତି ତାଙ୍କ ଗାଡି ଉପରେ ୩ ରୁ ୪ ରାଉଣ୍ଡ ଗୁଳି ଚଳାଇଥିଲ। କାରରେ ଏକାଧିକ ଗୁଳି ବାଜିଥିବା ବେଳେ କାରର ଟାୟାର ପମ୍ପଚର ହୋଇଯାଇଥିଲା। ତାଙ୍କୁ ଆଉ ଏକ ଗାଡିରେ ତୁରନ୍ତ ଉକ୍ତ ସ୍ଥାନରୁ ସୁରକ୍ଷିତ ଅନ୍ୟତ୍ର ନିଆଯାଇଥିଲା ଏହା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।