୩୮ ହଜାର ବର୍ଗ କିଲୋମିଟର ଭାରତୀୟ ଜମି ଉପରେ ବେଆଇନ୍ ଜବରଦଖଲ କରିଛି ଚୀନ୍‌

ନୂଆଦିଲ୍ଲୀ,ଏଜେନ୍ସି: ୩୮ ହଜାର ବର୍ଗ କିଲୋମିଟର ଭାରତୀୟ ଜମି ଉପରେ ଚୀନ୍ ବେଆଇନ ଜବରଦଖଲ କରିଛି। ବିଦେଶ ରାଜ୍ୟ ମନ୍ତ୍ରୀ ବି ମୁରଲୀଧରନ ଗୃହରେ କହିଛନ୍ତି ଯେ, ଚୀନ ଦୀର୍ଘ ୬ ଦଶନ୍ଧୀ ହେଲା ଭାରତୀୟ ଜମି ଉପରେ ଆଖି ପକାଇଛି। ପାକିସ୍ତାନ ୧୯୬୩ ମସିହାରେ ଶକସଗାମ ଘାଟିରେ ୫୧୮୦ ବର୍ଗ କିଲୋମିଟର ଭାରତୀୟ ଜମିକୁ ବେଆଇନ ଭାବେ ଜବରଦଖଲ କରି ଏହାକୁ ଚୀନ ହାତରେ ସମର୍ପି ଦେଇଥିଲା।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଭାରତ ସରକାର ୧୯୬୩ ମସିହାର ତଥାକଥିତ ଚୀନ-ପାକିସ୍ତାନ ‘ସୀମା ବୁଝାମଣା’କୁ କେବେବି ମଞ୍ଜୁରୀ ଦେଇ ନଥିଲେ। କିନ୍ତୁ ପାକିସ୍ତାନ ୫୧୮୦ ବର୍ଗ କିଲୋମିଟର ଭାରତୀୟ ଜମି ଉପରେ ଜବରଦଖଲ କରିବା ସହିତ ଏହାକୁ ଚୀନ ହାତରେ ଟେକି ଦେଇଥିଲା।

ସଂସଦରେ ସରକାରଙ୍କ ତରଫରୁ ମନ୍ତ୍ରୀ କହିଛନ୍ତି ଯେ, ଜମ୍ମୁ କଶ୍ମୀର ଓ ଲଦ୍ଦାଖରେ ପୂରା କେନ୍ଦ୍ର ଶାସିତ ରାଜ୍ୟ ଭାରତର ଏକ ଅଭିନ୍ନ ଏବଂ ଅବିଭାଜ୍ୟ ଅଂଶବିଶେଷ। ଅନେକ ଥର ପାକିସ୍ତାନ ଓ ଚୀନ ଅଧିକାରୀଙ୍କୁ ଏବାବଦରେ ଅବଗତ କରାଯାଇଛି। ପୂର୍ବ ଲଦ୍ଦାଖ ସୀମା ଗତିରୋଧରେ ମୁରଲୀଧରନ କହିଛନ୍ତି ଯେ, ଭାରତ ଓ ଚୀନ କୁଟନୈତିକ ଓ ସୈନ୍ୟ ଦଳ ମାଧ୍ୟମରେ ଆଲୋଚନା ଜାରି ରଖିଛନ୍ତି।