ସଇଁନ୍ତଲା,ଏନ୍ଏନ୍ଏସ୍: ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାବେଳେ ଯାଦବ ସମାଜ ଭୋଟର ବିଜେଡି ପାଇଁ କଣ୍ଟା ସାଜିଛି ବୋଲି ଚର୍ଚ୍ଚା ହେଉଛି । କାରଣ ଟିକ୍ରାପଡ଼ା ଅଞ୍ଚଳର ଜିଲ୍ଲା ପରିଷଦ ଟିକଟ ପାଇଁ ଅନେକ କର୍ମୀ ଆଶାୟୀ ରହିଥିଲେ ହେଲେ ଟିକେଟ ନ ମିଳିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଫଳରେ ବିଜେପିକୁ ବିଜେଡି କର୍ମୀଙ୍କ ଅନେକ ସମର୍ଥନ ରହୁଥିବା ଜଣାପଡ଼ିଛି । ଏହିକ୍ରମରେ ଟିଟିଲାଗଡ଼ ବିଜେପି ବିଧାୟକ ପ୍ରାଥିୀ ତଥା ବରିଷ୍ଠ ନେତା ମହେନ୍ଦ୍ର କୁମାର ଠାକୁରଙ୍କ ନେତୃତ୍ୱରେ ଦୁଃଖ ଶ୍ୟାମ ବଗର୍ତ୍ତି, ସରୋଜ ମିର୍ଧା, ବାଲେଶ୍ୱର ଖରସେଲ, ଦସୁ ନାଗ, ଲକ୍ଷଣ ବଗର୍ତ୍ତି, ଅଭିମନ୍ୟୁ ମିର୍ଧା, ଧନୀ ରାମ ବାଗ, ଦିବାକର ବଗର୍ତ୍ତି ଓ ନେପାଳ ବଗର୍ତ୍ତି ସମେତ ଶତାଧିକ ବିଜେଡି କର୍ମୀ ବିଜେପି ଦଳରେ ସାମିଲ ହୋଇଛନ୍ତି । ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁଙ୍କ କାର୍ଯ୍ୟକଳାପ ଏବଂ କର୍ମୀଙ୍କ ପ୍ରତି ଅଣଦେଖା ଯୋଗୁ ଅସନ୍ତୋଷ ପ୍ରକାଶ କରି ବିଜେଡି ଦଳ ଛାଡ଼ିଥିବା ସେମାନେ କହିଛନ୍ତି ।
ଅନ୍ୟପଟେ ଟିକ୍ରାପଡ଼ା ୩୦ ନମ୍ୱର ଜୋନରେ ବିଜେପି ଜିଲ୍ଲା ପରିଷଦ ପ୍ରାଥିୀ ଭାବେ ସୁପେତ ବାଗ ମଇଦାନକୁ ଓହ୍ଲାଇ ଭୋଟ ଭିକ୍ଷା କରୁଛନ୍ତି । ତେବେ ଶ୍ରୀଯୁକ୍ତ ବାଗ ଯାଦବ ସମାଜର ହୋଇଥିବାବେଳେ ଯାଦବ ସମାଜର ଶତାଧିକ ଭୋଟରଙ୍କ ସମର୍ଥନ ରହିଥିବା ଜଣାପଡ଼ିଛି । ଏହି ପରିପ୍ରେକ୍ଷୀରେ ଆଜି ବ୍ଲକର ଟିକ୍ରାପଡ଼ା ଓ କେନ୍ଦୁଉଡ଼ାରରେ ବିଜେପି ବରିଷ୍ଠ ନେତା ମହେନ୍ଦ୍ର ଠାକୁର, ବଲାଙ୍ଗିର ସାଂସଦଙ୍କ ବ୍ଲକ ପ୍ରତିନିଧି ଅକ୍ଷୟ ରଣା, ୩୦ ନମ୍ୱର ଜିଲ୍ଲା ପରିଷଦ ପ୍ରାଥିୀ ସୁପେତ ବାଗ ପ୍ରମୁଖଙ୍କ ଉପସ୍ଥିତିରେ ଗଦାଧର ବଗର୍ତ୍ତି, ଉତ୍ତମ ବରିହା, ମହେନ୍ଦ୍ର ଅମାତ, ଅନିରୁଦ୍ଧ କର୍ଣ୍ଣ ଓ ବିବେକ ରାଜ ପଲିଆ ପ୍ରମୁଖ ସହଯୋଗ କରିଥିଲେ । ଅନ୍ୟପଟେ ଶ୍ରୀ ଠାକୁର କହିଛନ୍ତି ଯେ, ୩ଟି ଜିଲ୍ଲା ପରିଷଦ ବିଜୟୀ ହେବା ସହ ବ୍ଲକ ଅଧ୍ୟକ୍ଷ ସୁନୁଶ୍ଚିତ ଭାବେ ବିଜେପି ଦଳ ଗଢ଼ିବ ବୋଲି କହିଛନ୍ତି ।