ଦେବଗବ,ଏନ୍ଏନ୍ଏସ୍: ସାତ ଜନ୍ମର ସାଥି ହେବାର ଶପଥ ନେଇ ସ୍ୱାମୀ ସ୍ତ୍ରୀ ଭାବେ ସଂସାର ତୋଳିଥିଲେ। ସେମାନଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛି। ସଂସାର ସୁରୁଖୁରୁରେ ଚାଲୁଥିବା ବେଳେ ଏକ ସଡ଼କ ଦୁର୍ଘଟଣାରେ ଗୋଟିଏ ଗୋଡ ହରାଇବା ପରେ ଭିନ୍ନକ୍ଷମ ପାଲଟିଥିଲା ସ୍ୱାମୀ। ଏଭଳି ପରିସ୍ଥିତିରେ ସ୍ୱାମୀ ଓ ଦୁଇ ସନ୍ତାନକୁ ଛାଡି ଅନ୍ୟତ୍ର ଚାଲି ଗଲା ସ୍ତ୍ରୀ। ଏଭଳି ସ୍ଥିତିରେ ଭିନ୍ନକ୍ଷମ ସ୍ୱାମୀ ଓ କୁନି ଶିଶୁ ଦ୍ବୟ ଅସହାୟ ହୋଇପଡି ଭିକ୍ଷାବୃତ୍ତିକୁ ଆପଣାଇଥିଲେ। ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗ ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଏହାର ଖବର ପାଇ ମିଳିତ ଉଦ୍ୟମରେ ଅସହାୟ ଶିଶୁଙ୍କୁ ଥଇଥାନ କରିଛନ୍ତି। ଭିନ୍ନକ୍ଷମ ସ୍ୱାମୀର ସାମାଜିକ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ବିଭାଗ ପକ୍ଷରୁ ଟ୍ରାଇସାଇକେଲ ପ୍ରଦାନ କରିଛନ୍ତି। ଭିକ୍ଷାବୃତ୍ତିରୁ ନିବୃତ କରାଇବାକୁ ଭତ୍ତା ସହ ବ୍ୟବସାୟ ପାଇଁ ଋଣ ବ୍ୟବସ୍ଥା କରାଯାଉଛି। ଏଥିସହ ତାଙ୍କର କୃତ୍ରିମ ଗୋଡ ଲଗାଇବା ପାଇଁ ପଦକ୍ଷେପ ନିଆଯାଇଛି।
ମିଳିଥିବା ସୂଚନା ଅନୁଯାୟୀ କୁରଡ ଗ୍ରାମର ସୁରୁ ମୁଣ୍ଡା ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିଲା। ୨୦୧୮ ମସିହାରେ ଏକ ସଡକ ଦୁର୍ଘଟଣାରେ ସେ ନିଜର ଗୋଡ ହରାଇଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ପଦକ୍ଷେପ କ୍ରମେ ତାଙ୍କୁ ଏକ ଟ୍ରାଇସାଇକଲ ପ୍ରଦାନ କରଯାଇଥିଲା ଏବଂ ଭିନ୍ନକ୍ଷମ ଭତ୍ତା ଓ ରାସନର ବ୍ୟବସ୍ଥା ମଧ୍ୟ କରି ଦିଆଯାଇଥିଲା। ଏଥିରେ ୨ ପିଲା ଓ ସ୍ଵାମୀ-ସ୍ତ୍ରୀ କଷ୍ଟେମଷ୍ଟେ ଚାଳିଯାଉଥିଲେ। ମାତ୍ର ଗତ ୭ ମାସ ତଳେ ସୁରୁର ସ୍ତ୍ରୀ ୨ ପିଲା ଓ ଭିନ୍ନକ୍ଷମ ସ୍ଵାମୀକୁ ଛାଡି ଅନ୍ୟତ୍ର ଚାଲିଗଲା। ଫଳରେ ପରିବାର ଅବସ୍ଥା ଆହୁରି ଦୁର୍ବିସହ ହୋଇପଡିଥିଲା। ପରିଶେଷରେ ପରିବାରର ପ୍ରତିପୋଷଣ ପାଇଁ ସୁରୁ ଭିକ୍ଷାବୃତ୍ତି ଆପଣାଇଥିଲେ ଏବଂ ୨ ଶିଶୁଙ୍କୁ ମଧ୍ୟ ଏହି କାର୍ଯ୍ୟରେ ଲଗାଇଥିଲେ।
ଏହି ଘଟଣାଟି ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର ଦୃଷ୍ଟିଗୋଚର ହେବା ପରେ ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରାଯାଇ ପରବର୍ତ୍ତୀ ପଦକ୍ଷେପ ଓ ଶିଶୁ ଦ୍ବୟଙ୍କ ପୁନର୍ବାସ ଓ ଶିକ୍ଷା ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗକୁ ସୂଚିତ କରାଯାଇଥିଲା। ଉଭୟ ଜିଲ୍ଲା ସାମାଜିକ ସୁରକ୍ଷା ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପଦକ୍ଷେପକ୍ରମେ ୨ଟି ଯାକ ଅସହାୟ ଶିଶୁ ( ଇନ୍ଦୁ -୯ ବର୍ଷ ଓ ଶୁଭ – ୭ ବର୍ଷ) ଙ୍କୁ ଚାଇଲ୍ଡଲାଇନ ସହଯୋଗରେ ଉଦ୍ଧାର କରାଯାଇ ଶିଶୁ କିଶୋର ନ୍ୟାୟ ଅନୁଯାୟୀ ଅନୁଷ୍ଠାନିକ ଯତ୍ନ ପାଇଁ ଏକ ଶିଶୁ ଆଶ୍ରୟ ଗୃହରେ ରଖାଯାଇଛି।