ସାନଖେମୁଣ୍ଡି ରାଜା ସାହେବ ଉଦୟ ନାରାୟଣ ଦେବଙ୍କ ଦେହାନ୍ତ: ଶୋକ ପ୍ରକାଶ କଲେ ବାଚସ୍ପତି ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,ଏନ୍ଏନ୍ଏସ୍: ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ରାଜା ସାହେବ ଉଦୟ ନାରାୟଣ ଦେବଙ୍କ ପରଲୋକ ହୋଇଯାଇଛି। ଏନେଇ ଶୋକ ବ୍ୟକ୍ତ କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୁଧବାର ରାତି ୧୧ଟା ବେଳେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍‌ରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ରାଜା ସାହେବ।

ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା। ତାଙ୍କ ମରଶରୀରକୁ ବିଧାନସଭାରେ ଗାର୍ଡ଼ଅଫ ଅନର ଦିଆଯାଇଛି। ତିନି ଥର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୭୪, ୧୯୭୭ ଓ ୧୯୮୦ ମସିହାରେ ସେ ମୋହନା ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

୧୯୮୦ରେ ସେ ଜନତା ପାର୍ଟି (ସେକ୍ୟୁଲାର) ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସ୍ବର୍ଗତ ଉଦୟ ନାରାୟଣ ଦେବଙ୍କର ଆଉ ଏକ ପରିଚୟ ଥିଲା। ଜଣେ ବିହଙ୍ଗ ବିଜ୍ଞାନୀ ଭାବେ ସେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ। ସେ ଜଣେ ରିସର୍ଚ ସ୍କଲାର ଥିଲେ। ପୄଥିବୀରେ ଥିବା ବିଭିନ୍ନ ପକ୍ଷୀ ଉପରେ ଗବେଷଣା କରୁଥିଲେ।