ଭିଜିଲାନ୍ସ ଜାଲରେ ନୂଆପଡ଼ା ଜିଲ୍ଲା ଏଏସ୍‌ଓ

ସିନାପାଲି,ଏନ୍‌ଏନ୍‌ଏସ୍‌: ନୂଆପଡ଼ା ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ (ଏଏସ୍‌ଓ) ରତ୍ନାକର ସେଠୀଙ୍କ ଘରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ତାଙ୍କ ଆୟ ବର୍ହିଭୁତ ସମ୍ପତ୍ତିର ମୂଲ୍ୟ ୬ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଆକଳନ କରାଯାଇଛି। ତାଙ୍କର ନୂଆପଡ଼ା ଓ କଟକ ସମେତ ୬ଟି ସ୍ଥାନରେ ଚଢ଼ଉ କରାଯାଇଛି। ଚଢ଼ଉରେ ତାଙ୍କ ଠାରୁ ୪୯୮ ଗ୍ରାମର ସୁନା ଗହଣା, ୨.୫ କେଜିର ରୂପା ଅଳଙ୍କାର ଜବତ ହୋଇଛି।

କଟକର ମଧୁ ପାଟଣା ଥାନା ଅନ୍ତର୍ଗତ ବାଲିସାହି ବାସଗୃହ ସମେତ ଚାଉଳିଆଗଞ୍ଜରେ ତିନି ମହଲା କୋଠା ଘର, କଟକର ବାଲିସାହିତେ ନାଟରାଜ ପାଲେସ କଲ୍ୟାଣ ମଣ୍ଡପ, ଚୌଦ୍ୱାର ଠାରେ ପାଚେରୀ ଘେରା ୩ ଏକର ଜମି, ନୂଆପଡା ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟ, ନୂଆପଡାରେ ଥିବା ଭଡ଼ା ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ହୋଇଥିଲା। ସେ ୧ କୋଟି ୧୩ ଲକ୍ଷ ଟଙ୍କାର ବିଭିନ୍ନ ବୀମା ଟଙ୍କା ପଇଠ କରିଛନ୍ତି। କଟକ ଏବଂ ଜୟପୁର ଭିଜଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିବା ବେଳେ ନୂଆପଡା ଜିଲ୍ଲା ଭିଜିଲାନ୍ସ ବିଭାଗ ଏଥିରେ ସାମିଲ ହୋଇଥିଲା।