ନାଲକୋ ଘରୋଇ କରଣକୁ ଭାରତୀୟ ମଜଦୁର ସଂଘର ତୀବ୍ର ବିରୋଧ

ରାୟଗଡ଼ା,ଏନ୍ଏନ୍ଏସ୍: ଓଡ଼ିଶାରେ ପ୍ରତିଷ୍ଠା ହେଇଥିବା ଲାଭ ଦାୟକ ନବରତ୍ନ କମ୍ପାନୀ ନାଲକୋର ଘରୋଇ କରଣ ପ୍ରସ୍ତାବ ଏକ ଭୟଙ୍କର ଶ୍ରମିକ ବିରୋଧୀ ଓ ଜନ ବିରୋଧି ନିଷ୍ପତ୍ତି ବୋଲି ଭାରତୀୟ ମଜଦୁର ସଂଘ ଓଡ଼ିଶା ପକ୍ଷରୁ କୁହାଯାଇଛି। ଉନ୍ନତମାନର ବକ୍ସାଇଟ ଓ ଯଥେଷ୍ଟ କୋଇଲା ମହଜୁଦ ଥିବାରୁ କେନ୍ଦ୍ର ସରକାରଙ୍କ ତରଫରୁ ଓଡ଼ିଶା ଭଳିଆ ଏକ ଗରିବ ଓ ଆଦିବାସୀ ବହୁଳ ରାଜ୍ୟରେ ରାଷ୍ଟ୍ରାୟତ ଉଦ୍ୟୋଗ ଭାବେ ନାଲକୋ ପ୍ରତିଷ୍ଠା କରାଯାଇଥିଲା। ୪୨ ବର୍ଷ ତଳେ ପ୍ରତିଷ୍ଠିତ ଏହି ଆଲୁମିନିୟମ କମ୍ପାନୀ ନିରନ୍ତର ଲାଭ କରି ଆସିଥିବା ବେଳେ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାରଙ୍କୁ ୪୬ ହଜାର କୋଟି ଓ ରାଜ୍ୟ ସରକାରଙ୍କୁ ୭ ହଜାର କୋଟି ଟଙ୍କା ପ୍ରଦାନ କରିଛି।

ଓଡ଼ିଶାର ହଜାର ହଜାର ଆଦିବାସୀ ଓ ଜମିହରା ନାଗରିକ ଉକ୍ତ କମ୍ପାନୀ ଦ୍ଵାରା ନିଯୁକ୍ତ ପାଇଛନ୍ତି ଓ ସ୍ଥାନୀୟ ଅଞ୍ଚଳର ଆଦିବାସୀ ବ୍ୟବସାୟ କରି ରୋଜଗାର କରୁଛନ୍ତି। ସାମଗ୍ରିକ ଭାବେ ଓଡ଼ିଶାର ଲକ୍ଷାଧିକ ଲୋକଙ୍କର ଆର୍ଥିକ ସଶକ୍ତୀକରଣ ରାଷ୍ଟ୍ରାୟତ ଉଦ୍ୟୋଗ ନାଲକୋ ଦ୍ଵାରା ହୋଇପାରିଛି। ଘରୋଇ କରଣ ହେବା ଦ୍ଵାରା ବ୍ୟାପକ ଭାବେ ଶ୍ରମିକ ଛଟେଇ ଓ ଶ୍ରମିକ ଶୋଷଣ ହେବ। ନାଲକୋ ଦ୍ଵାରା ହେଇଥିବା ବ୍ୟାପକ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ବନ୍ଦ ହୋଇଯିବ ଏବଂ ଚାକିରିର ସ୍ଥାୟିତ୍ବ ମଧ୍ୟ ପ୍ରଶ୍ନବାଚି ହୋଇଯିବ। ଏଣୁ ଭାରତୀୟ ମଜଦୁର ସଂଘ ଓଡ଼ିଶା ପକ୍ଷରୁ ନାଲକୋ ଘରୋଇ କାରଣରୁ ତୀବ୍ର ବିରୋଧ କରିବା ସହ କେନ୍ଦ୍ର ସରକାରଙ୍କର ବିରୋଧରେ ଗତ ୨୩ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ରାଜ୍ୟ ବ୍ୟାପୀ ବିରୋଧ ପ୍ରଦର୍ଶନ କରିବା ସହ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ଦିଆଯାଇଛି ବୋଲି ସଂଘର ରାଜ୍ୟ ସମ୍ପାଦକ ଯୋଗେଶ୍ଵର ଦାସ ଆଜିର ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ସରକାରଙ୍କ କରୋନାର ସମସ୍ତ ନିୟମକୁ ପାଳନ କରି ରାୟଗଡ଼ା ମାଁ କାଳୀ ମନ୍ଦିର ଠାରୁ ଏକ ପଦଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘର ଜିଲ୍ଲା ଉପସଭାପତି ମୋହନ ରାଓ ମାଝୀ, ଜିଲ୍ଲା ସମ୍ପାଦକ ଖଗେଶ୍ବର ସିଂ, କିଶୋର କୁମାର ସାହୁ, ରଜତ ରଞ୍ଜନ ଖଟୁଆ, ପରମାନନ୍ଦ ପ୍ରଧାନ, ଗଣେଶ ସାହୁ, ରବି ନାରାୟଣ ଗୌଡ ପ୍ରମୁଖ ଯୋଗଦେଇ କୋଭିଡର ସମସ୍ତ ନିୟମକୁ ପାଳନ କରି ପରିଚାଳନା କରିଥିଲେ।