ଶ୍ରୀନଗର,ଏଜେନ୍ସି: ଜମ୍ମୁ କଶ୍ମୀରରେ ସୁରକ୍ଷା ବାହିନୀର ଯବାନମାନେ ବିଗତ ୧୨ ଘଣ୍ଟା ମଧ୍ୟରେ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତଏବା ଓ ଜୈଶ-ଏ-ମହମ୍ମଦର ୫ ଜଣ ସଦସ୍ୟଙ୍କୁ ନିହତ କରିଛନ୍ତି। ନିହତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ଜୈଶ-ଏ-ମହମ୍ମଦର କମାଣ୍ଡର ଜାହିଦ୍ ୱାନୀ ଓ ଅନ୍ୟ ଜଣେ ପାକିସ୍ତାନୀ ଆତଙ୍କବାଦୀ ମଧ୍ୟ ସାମିଲ ଅଛନ୍ତି। କଶ୍ମୀର ଆଇଜିପି ଏହାକୁ ସୁରକ୍ଷା ବାହିନୀର ବଡ଼ ସଫଳତା ବୋଲି କହିଛନ୍ତି।
ଜାହିତ ମଞ୍ଜୁର ୱାନୀ ଜମ୍ମୁ କଶ୍ମୀରରେ ଜୈଶର ଶୀର୍ଷ କ୍ୟାଡର ଭିତରୁ ଜଣେ। ଜାହିଦ ଲେଟପୁରା ଘଟଣାରେ ସାମିଲ ଥିଲା, ଯେଉଁ ଘଟଣାରେ ୨୦୧୯ ଫେବ୍ରୁଆରୀ ୧୪ ତାରିଖ ସିଆରପିଏଫର ୪୦ ଜଣ ଯବାନ ସହିଦ ହୋଇଥିଲେ। ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରରେ ଆତଙ୍କବାଦୀମାନେ ପୁଣିଥରେ ଆତଙ୍କ ରଚିବାକୁ ଉଦ୍ୟମ କରିଥିଲେ। କୁଲଗାମ ଜିଲ୍ଲାରେ ପୁଲିସ କର୍ମୀଙ୍କୁ ହତ୍ୟା ପରେ ଏବେ ପୁଲୱାମାର ନାୟରା ଅଞ୍ଚଳରେ ସୁରକ୍ଷା ବାହିନୀଙ୍କ ଉପରକୁ ଗୁଳି ଚଳାଇଥିଲେ। କିନ୍ତୁ ସେନା, ପୁଲିସ ଓ ସିଆରପିଏଫ ଟିମ୍ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଥିଲେ।
ଶନିବାର ସନ୍ଧ୍ୟାରେ କୁଲଗାମ ଜିଲ୍ଲାର ହାସନପୋରାରେ ସନ୍ଦିଗ୍ଧ ଆତଙ୍କବାଦୀ ଗୁଳିରେ ମୁଖ୍ୟ କନଷ୍ଟେବଳ ମହମ୍ମଦ ଗନୀ ସହିଦ ହୋଇଥିଲେ। ସେ କୁଲଗାମ ଥାନାରେ ମୁତୟନ ଥିଲେ। ପୁଲିସ କର୍ମଚାରୀଙ୍କ ଦେହରେ ଗୁଳି ବାଜିବା ପରେ ସୁରକ୍ଷାକର୍ମୀମାନେ ସମ୍ପୃକ୍ତ ଅଞ୍ଚଳକୁ ଘେରା ବନ୍ଦୀ କରିଥିଲେ।