ସଇଁନ୍ତଳା ପୁଲିସକୁ ବଡ଼ ସଫଳତା, ସେଲମା ଗ୍ୟାଙ୍ଗର ୮ ଜଣ ଡ଼କାୟତ ଗିରଫ

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମର ବ୍ୟବସାୟୀ ଅଜିତ ସାହୁଙ୍କ ଘରୁ ଗତ ୧୩ ତାରିଖ ଦିନ ୬ ଜଣ ମୁଖାପିନ୍ଧା ଡକାୟତ ଦଳ ଆସି ମାରଣାସ୍ତ୍ର ଦେଖାଇବା ସହ ଜଣକୁ ଆକ୍ରମଣ କରି ନଗଦ ୬ ଲକ୍ଷ ଟଙ୍କା ଓ ୧୦ ଭରି ସୁନା ଅଳଙ୍କାର ନେଇଯାଇଥିଲେ। ଅଜିତ ଏନେଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ସଇଁତଲା ଥାନା ଅଧିକାରୀ ଅବନୀ ସାହୁ ଓ ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ସତପଥୀ ଘଟଣା ସ୍ଥଳକୁ ଯାଇ ଘଟଣା ସମ୍ପର୍କରେ ତଦନ୍ତ କରିଥିଲେ।

ପରେ ଅପରାଧୀ ମାନଙ୍କୁ ଧରିବା ପାଇଁ ବଲାଙ୍ଗିର ଏସପି ନିତିନ କୁଶଳକରଙ୍କ ନେତୃତ୍ୱରେ ଟିଟିଲାଗଡ଼ ଏସଡ଼ିପିଓ ଶ୍ରୀ ସତପଥୀ, ଟିଟିଲାଗଡ଼ ଥାନ ଅଧିକାରୀ ରଞ୍ଜନ କୁମାର ବରୀହା, ସଇଁତଲା ଥାନା ଅଧିକାରୀ ଅବନୀ ସାହୁ ,ଏସଆଇ ସଙ୍ଗୀତା ବେକ,ଏସଆଇ ଥବିର ମହାରଣା, କାର୍ତିକ ପ୍ରଧାନ, ଦୀନବନ୍ଧୁ ମୁଦୁଲି, ପ୍ରମୋଦ କହ୍ନର ସଂକର୍ତ୍ତନ ପୁଟେଲ ଓ ଏମକେ ଭୋଇଙ୍କୁ ନେଇକି ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା। ସ୍ଵନ୍ତ୍ରତ୍ର ଟିମ ଘଟଣା ସମ୍ପର୍କରେ ତଦାରଖ କରିବା ସହ କଡା ପେଟ୍ରୋଲିଂ କରୁଥିଲା। 

ଗତ କାଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ସଇଁତଲା ଥାନା ଅଧିକାରୀ  ଅବନୀ ସାହୁଙ୍କ ନେତୃତ୍ୱରେ ବେଳଗାଁ ହାଇସ୍କୁଲ ଖେଳ ପଡିଆରେ କିଛି ବ୍ୟକ୍ତି ସଶସ୍ତ୍ର ସହ ଡକାୟତ କରିବାପାଇଁ ଆଲୋଚନା କରୁଥିବା ବେଳେ ସେମାନଙ୍କୁ ପୁଲିସ କାବୁ କରିବାରେ ସଫଳତା ହୋଇଥିଲା। ତେବେ ସେମାନଙ୍କୁଠୁ କିଛି ମାରଣାସ୍ତ୍ର ଜବତ କରିବା ସହ ଥାନାକୁ ଆଣି ପଚରାଉଚରା କରିଥିଲା। ପଚରାଉଚରା ପରେ ଉକ୍ତ ବ୍ୟକ୍ତିମାନେ ଡୁଙ୍ଗୁରିପାଲିର ବ୍ୟବସାୟୀଙ୍କ ଅଜିତ ସାହୁଙ୍କ ଘରୁ ଡକାୟତ କରିଥିବା ସ୍ୱୀକାର କରିଥିଲେ।

ଅଭିଯୁକ୍ତ ମାନେ ହେଲେ ଟିଟିଲାଗଡ଼ ଥାନା ବେଳପଦର ଗ୍ରାମର ନାଥ ସେଲମା(୪୦), ଲେସୁନ ବାହାଳି ଗାଁ’ର ମଣ୍ଟୁ ତାଣ୍ଡି(୨୨), ବଛାଯୁଗା ଗାଁ’ର ଭୂପତି ଭୋଇ(୨୦), ଲେସୁନବାହାଳି ଗାଁ’ର କାଳିଆ ତାଣ୍ଡି(୪୧), ବଛାଯୁଗା ଗାଁ’ର ପ୍ରଦୀପ ଭୋଇ(୨୨), କପସିଭଟା ଗାଁ’ର ଜୟ ବିଭାର(୩୫), ବଛାଯୁଗା ଗାଁ’ର ଅର୍ଜୁନ ଭୋଇ(୫୦), ସଇଁନ୍ତଲା ବ୍ଲକ୍ ଯୁବାମାଲ ଗାଁ’ର ମନ ଗୋବିନ୍ଦ ରଣା(୨୫)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସଇଁନ୍ତଳା ପୁଲିସ।

ଏମାନଙ୍କ ଠାରୁ ଦୁଇଟି ଠେଙ୍ଗା, ଦୁଇଟି ବଡ଼ ରଡ଼, ଏକ ମରିଚ ପାଉଡର, ଏକ ବନ୍ଧୁକ, ଦୁଇ ମାରଣାସ୍ତ୍ର , ୩ ଟି ବାଇକ, ୬ ହଜାର ଟଙ୍କା, ୮ ମୋବାଇଲ ଫୋନ, ଏକ ସୁନା ହାର, ରୂପା, ଭଳି ଅନେକ ଡାକାୟତିରେ ବ୍ୟବହାର କରାଯାଉ ଥିବା ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ସତପଥୀ। ଏହି ଅଭିଯୁକ୍ତ ମାନଙ୍କ ନାଁ’ରେ ନୂଆପଡା ଜିଲ୍ଲା ଖରିଆଡ଼ ଥାନା, କଳାହାଣ୍ଡି ଜିଲ୍ଲା ନର୍ଲା ଥାନା, କେସିଙ୍ଗା ଥାନା, କେଗାଁ ଥାନା, ଟିଟିଲାଗଡ଼ ଥାନା, ସଇଁନ୍ତଳା ଥାନାରେ ଅନେକ ମାମଲା ରୁଜୁ ହୋଇଥିବା ସହ ଡ଼କାୟତି କରି ଜେଲ ମଧ୍ୟ ଯାଇଥିବା ଜଣାପଡିଛି।

କିଛି ଦିନ ତଳେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅଞ୍ଚଳରେ ଡ଼କାୟତି କରିଥିବା ଅଭିଯୁକ୍ତ ମାନେ ପ୍ରକାଶ କରିଥିବା ବେଳେ ସଇଁନ୍ତଲା ଅଞ୍ଚଳରେ ପୁଣି ଡ଼କାୟତି କରିବାର ଯୋଜନା ପ୍ରସ୍ତୁତ କରିଥିବାର ମଧ୍ୟ ଜଣାପଡିଛି। ତେବେ ଏହି ଅଭିଯୁକ୍ତ ମାନଙ୍କ ମୁଖ୍ୟ ସହଯୋଗୀ କିମ୍ବା ସେଲମା ଗ୍ୟାଙ୍ଗଷ୍ଟାରର ମୁନା ରଣା ବୋଲି ପୁଲିସ ପ୍ରକାଶ କରିଛି। ଏମାନଙ୍କ ଠାରୁ ଅଧିକ ଜାଣିବା ପାଇଁ ରିମାଣ୍ଡରେ ପୁଣି ଥରେ ପୁଲିସ ଆଣିପାରେ ବୋଲି ପୁଲିସ ସୂତ୍ରରୁ ପ୍ରକାଶ କରିଛନ୍ତି।