ପାଟଣାଗଡ଼,ଏନ୍ଏନ୍ଏସ୍: ‘ସବୁ ଝିଅର ଇଚ୍ଛା ଥାଏ ଜଣେ ସୌମ୍ୟ, ସୁନ୍ଦର, ଉଚ୍ଚ ରୋଜଗାର ସମ୍ପନ୍ନ ଯୁବକର ହାତ ଧରି ଜୀବନ ବିତାଇବା ପାଇଁ । କିନ୍ତୁ ମୋ ଭଳି ଜଣେ ଜନ୍ମାନ୍ଧ, ବେକାର ଯୁବକର ଜୀବନସାଥୀ ହେବାର ଦୃଢ଼ ସଂକଳ୍ପ ନେଇ ଘରୁ ଗୋଡ଼ କାଢି, ଜୀବନ ସାରା ମୋ ହାତ ଧରି ବାଟ ଚଲାଇବାର ନିଷ୍ପତ୍ତି ନେଇ କୋର୍ଟରେ ବିବାହ କରିଥିବା ଚାନ୍ଦନୀ ନିକଟରେ ମୁଁ ଚିରଋଣୀ । ବିଶ୍ୱନିୟନ୍ତାଙ୍କୁ ମୁଁ କହିଥାଏ-ଅନ୍ଧ କରି ମୋତେ କରିଛୁରେ ଧନ୍ୟ….. ।’ ଏହା କୌଣସି ନାଟକ କିମ୍ବା ଚଳଚ୍ଚିତ୍ରର ସଂଳାପ ନୁହେଁ, ବରଂ ମୋବାଇଲ ବାର୍ତ୍ତାଳାପ ପରେ ଗଢ଼ି ଉଠିଥିବା ପ୍ରେମ ସଂପର୍କରୁ ଜଣେ ଅନ୍ଧ ଯୁବକ ଦିଲ୍ଲୀପ ତାଣ୍ଡିଙ୍କ ପ୍ରେମ ବିବାହର କାହାଣୀ ।
ସୂଚନାଯୋଗ୍ୟ, ପାଟଣାଗଡ଼ ବ୍ଲକ ମୁଣ୍ଡୋମହୁଲ ଗ୍ରାମର ବନମାଳୀ ତାଣ୍ଡି ଏବଂ ଲକ୍ଷ୍ମୀ ତାଣ୍ଡିଙ୍କ ଜନ୍ମାନ୍ଧ ପୁଅ ହେଉଛନ୍ତି ଦିଲ୍ଲୀପ(୨୬) । ଜନ୍ମରୁ ଅନ୍ଧ ହୋଇଥିଲେ ମଧ୍ୟ ଗାଁ ସ୍କୁଲର ପାଠ ପଢ଼ିିବା ପରେ ରାଜେନ୍ଦ୍ର ମହାବିଦ୍ୟାଳୟ ଓ ଯୋଗୀମୁଣ୍ଡାରୁ ଯୁକ୍ତ ୨ ପାସ କରିଥିଲେ । ପରେ ଖୋର୍ଦ୍ଧା ଜଟଣୀର ସ୍ୱତନ୍ତ୍ର ଆଇଟିଆଇ କଲେଜରୁ ୨୦୧୭ ମସିହାରେ ପାଠ ସାରି ଦିଲ୍ଲୀପ ଘରେ ବସି ରହିଛନ୍ତି । ଆୟ କହିଲେ ପ୍ରତି ମାସ ପାଉଥିବା ୭୦୦ ଟଙ୍କାର ଭତ୍ତା । ଗତ ୨୦୧୯ ମସିହା ଅଗଷ୍ଟ ୨୭ ତାରିଖ ଦିନ ଅନ୍ଧ ଦିଲ୍ଲୀପ ନିଜର ଜଣେ ବନ୍ଧୁଙ୍କ ନିକଟକୁ ଫୋନ କଲାବେଳକୁ ଭୁଲରେ ତାହା ସଇଁନ୍ତଳା ନିକଟସ୍ଥ ବୁର୍ଡ଼ାର ରୋହିତ ବାଗ ଏବଂ ଲକ୍ଷ୍ମୀ ବାଗଙ୍କ ଝିଅ ଚାନ୍ଦନୀ ନିକଟକୁ ଲାଗି ଯାଇଥିଲା । ତେବେ ଭୁଲରେ ଫୋନ ଲାଗିଯାଇଥିବା କହି ଅତ୍ୟନ୍ତ ବିନମ୍ରତାର ସହ ଦିଲ୍ଲୀପ କ୍ଷମା ଭିକ୍ଷା କରିଥିଲେ । ଆଉ ସେହି ବିନମ୍ରତାରୁ ହିଁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଉଭୟେ ନିୟମିତ ଫୋନରେ କଥାବାର୍ତ୍ତ କରିବା ପରେ ସେହି ବର୍ଷ ନଭେମ୍ବର ମାସରେ ଜନ୍ମାନ୍ଧ ବୋଲି ଦିଲ୍ଲୀପ ନିଜେ ଚାନ୍ଦନୀକୁ କହିଥିଲେ । ତେବେ ନିଜର ପ୍ରେମିକ ଅନ୍ଧ ହୋଇଥିବା ଜାଣିବା ପରେ ମଧ୍ୟ ଦିଲ୍ଲୀପଙ୍କୁ ଜୀବନସାଥୀ ଭାବରେ ଗ୍ରହଣ କରିବାକୁ ଚାନ୍ଦନୀ ଦୃଢ ନିଷ୍ପତ୍ତି ନେଇଥିଲେ । ଗତ ଜାନୁଆରୀ ୨୪ ତାରିଖ ଦିନ ଉଭୟେ ପାଟଣାଗଡ଼ କୋର୍ଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଏହି ବିବାହରେ ବେଶ ଖୁସି ଥିବା ଚାନ୍ଦନୀ ପ୍ରକାଶ କରିବା ସହ ନିଜ ସ୍ୱାମୀ ଜନ୍ମାନ୍ଧ ହୋଇଥିଲେ ମଧ୍ୟ ନିଜେ ହାତ ଧରି ବାଟ ଚଲାଇବେ ଏବଂ ଦୁହେଁ ମିଶି କୌଣସି ଏକ ବ୍ୟବସାୟ ଆରମ୍ଭ କରିବେ ବୋଲି କହିଛନ୍ତି ।