ଦିଲ୍ଲୀରେ ଆଜିଠୁ ହଟିଲା ସପ୍ତାହାନ୍ତ ସଟ୍‌ଡାଉନ୍‌, କଟକଣା ସହ ପୁଣି ମେଟ୍ରୋ ସେବା ଆରମ୍ଭ

ନୂଆଦିଲ୍ଲୀ,ଏଜେନ୍ସି: କୋଭିଡକୁ ନେଇ ଦିଲ୍ଲୀରେ ଲାଗୁ ହୋଇଥିବା କଟକଣା ଧୀରେ ଧୀରେ ସ୍ୱାଭାବିକ ହେଉଛି। କରୋନାର ଗ୍ରାଫ୍ କମ ହେଉଥିବାରୁ ସରକାର ଗୋଟିଏ ପରେ ଗୋଟିଏ କଟକଣା ହଟାଉଛନ୍ତି। ଏହାରି ମଧ୍ୟରେ ଦିଲ୍ଲୀ ମେଟ୍ରୋ ନିଜର ସେବା ପୁଣି ଥରେ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି।

ଦିଲ୍ଲୀ ମେଟ୍ରୋ ଶୁକ୍ରବାର ସୂଚନା ଦେଇଛି ଯେ, ସରକାର ଦ୍ୱାରା ଜାରି କରାଯାଇଥିବା ଗାଇଡଲାଇନ୍‌କୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ ସାପ୍ତାହନ୍ତ ସଟଡାଉନ୍ ଅର୍ଥାତ ଶନିବାର ଓ ରବିବାର ମଧ୍ୟ ମେଟ୍ରୋ ଟ୍ରେନ୍ ଚାଲିବ। ଶନିବାର (ଜାନୁଆରୀ ୨୯) ଏହା ଆରମ୍ଭ ହେବ। ସମସ୍ତ ଲାଇନ୍‌ରେ ପୂର୍ବ ଭଳି ନିୟମିତ ମେଟ୍ରୋ ସେବା ମିଳିବ।

ଏଥି ସହିତ ୧୦୦ ପ୍ରତିଶତ କ୍ଷମତାରେ ମେଟ୍ରୋ ଟ୍ରେନ୍ ଚାଲିବ। କିନ୍ତୁ ସମସ୍ତ ଯାତ୍ରୀ କେବଳ ସିଟରେ ବସି ଯାତ୍ରା କରିବେ। ସମସ୍ତ ଷ୍ଟେସନରେ କୋଭିଡ ଗାଇଡଲାଇନକୁ ପାଳନ କରାଯିବ। ମେଟ୍ରୋ ତରଫରୁ ସମସ୍ତ ଯାତ୍ରୀଙ୍କୁ ଏହି ପରାମର୍ଶ ଦିଆଯାଇଛି ଯେ, ସେମାନେ ଯିବା ଆସିବା ପାଇଁ ଅତିରିକ୍ତ ସମୟ ବାହର କରନ୍ତୁ ଏବଂ ଅଧିକାରୀଙ୍କୁ ସହଯୋଗ କରନ୍ତୁ।