ଜାତୀୟ ରାଜପଥରେ ଗଣତନ୍ତ୍ର ଦିବସ ପରେଡରେ ପରିବର୍ତ୍ତନ

ନୂଆଦିଲ୍ଲୀ,ଏଜେନ୍ସି: ଭାରତ ଉତ୍ସାହର ସହିତ ଆଜି ୭୩ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଆୟୋଜିତ ସମାରୋହକୁ ନେଇ ପ୍ରସ୍ତୁତ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କେବଳ ସମୟକୁ ଅପେକ୍ଷା କରାଯାଇଛି। ଏଥର କୁହୁଡିକୁ ଦୃଷ୍ଟିରେ ରଖି ପରେଡ ଏବଂ ଫ୍ଲାଇପୋଷ୍ଟ ପ୍ରଦର୍ଶନ ରାଜପଥରେ ଅଧଘଣ୍ଟା ବିଳମ୍ବରେ ଅନୁଷ୍ଠିତ ହେବ।

ଅର୍ଥାତ ସାଢ଼େ ୧୦ଟାରେ ଆରମ୍ଭ ହେବ। ପ୍ରତ୍ୟେକ ବର୍ଷ ଏହି କାର୍ଯ୍ୟକ୍ରମ ୧୦ଟାରେ ଆରମ୍ଭ ହୋଇଥାଏ। ଅନ୍ୟପଟରେ କରୋନା କାରଣରୁ ଚଳିତ ଥର ମଧ୍ୟ କୌଣସି ବିଦେଶୀ ଅତିଥି ସମାରୋହରେ ଅଂଶଗ୍ରହଣ କରିବେ ନାହିଁ।ରାଷ୍ଟ୍ରୀୟ ଆୟୋଜନରେ ପ୍ରଥମ ଥର ଭାରତୀୟ ବାୟୁସେନାର ୭୫ ବିମାନ ଭବ୍ୟ ଫ୍ଲାଇପୋଷ୍ଟ କରିବେ। ଏଥି ସହିତ ପ୍ରତିସ୍ପର୍ଦ୍ଧା ପ୍ରକ୍ରିୟା ମାଧ୍ୟମରେ ଚୟନିତ ୪୮୦ ପ୍ରତିଯୋଗୀ ସାଂସ୍କୃତିକ ପ୍ରସ୍ତୁତି ଦେବେ।

ସମାରୋହରେ ଦୂରରେ ବସିଥିବା ଲୋକଙ୍କୁ କାର୍ଯ୍ୟକ୍ରମ ଦେଖିବା ପାଇଁ ୭୫ ମିଟର ଦୂରରେ ୧୦ଟି ବଡ଼ ଏଲଇଡି ସ୍କ୍ରିନ ଲଗାଯାଇଛି। ପରେଡରେ କରୋନା ଟିକାର ଉଭୟ ଡୋଜ ନେଇଥିବା ବୟସ୍କ, ୧ ଡୋଜ ନେଇଥିବା ୧୫ ବର୍ଷ ଓ ତା’ଠାରୁ ଅଧିକ କିଶୋରକୁ ପ୍ରବେଶ ଅନୁମତି ଦିଆଯାଇଛି। ସାମାଜିକ ଦୂରତାକୁ ପାଳନ କରିବାକୁ ହେଉଛି। ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଦିଆଯାଇଛି।

କରୋନା ଯୋଗୁଁ ଦର୍ଶକଙ୍କ ସଂଖ୍ୟା ହ୍ରାସ କରାଯାଇଛି। କେବଳ ୫ରୁ ୮ ହଜାର ଦର୍ଶକ ସାମିଲ ହେବାକୁ ଅନୁମତି ଦିଆଯାଇଛି। ଗତବର୍ଷ ୨୫ ହଜାର ଲୋକ ପରେଡ ଦେଖିଥିଲେ।ଏଥର ପରେଡ ମାର୍ଗକୁ ମଧ୍ୟ ଛୋଟ କରିଦିଆଯାଇଛି। ପୂର୍ବରୁ ୮.୩ କିଲୋମିଟର ହେଉଥିଲା। ଏଥର ଏହାକୁ ୩.୩ କିଲୋମିଟର କରିଦିଆଯାଇଛି। ମାତ୍ର ୫ କିଲୋମିଟର କମ ହେବା ପରେ ବି ପରେଡର ପ୍ରଜ୍ଞାପନ ମେଢ଼ ଲାଲକିଲ୍ଲାରେ ଶେଷ ହେବ। ସରକାର ମଧ୍ୟ ଏସିଆର ୫ ରାଷ୍ଟ୍ରକୁ ଅତିଥି ପାଇଁ ନିମନ୍ତ୍ରଣ ପଠାଇଥିଲେ। କିନ୍ତୁ କରୋନା କାରଣରୁ ଏହାକୁ ବାତିଲ କରିଦିଆଯାଇଛି। ସମାରୋହରେ ଅଟୋ ରିକ୍ସା ଚାଳକ, ଶ୍ରମିକ, ସଫାଇ କର୍ମଚାରୀ ଓ ସମ୍ମୁଖ ଯୋଦ୍ଧାର କିଛି ଲୋକଙ୍କୁ ଗଣତନ୍ତ୍ର ଦିବସ ସମାରୋହକୁ ଆମନ୍ତ୍ରଣ କରାଯାଇଛି।