ଭୋଟ ଗଣତି କେନ୍ଦ୍ରକୁ ତଦାରଖ କଲେ ବଲାଙ୍ଗିର ଜିଲ୍ଲାପାଳ

ସଇଁନ୍ତଳା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ ୨୨ଟି ପଞ୍ଚାୟତର ବିଭିନ୍ନ ସ୍ଥାନରେ ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୈତିକ ଦଳ ମଧ୍ୟ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ନିର୍ବାଚନ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବାବେଳେ କରୋନା ନିୟମକୁ ପାଳନ କରିବା ପାଇଁ ମଧ୍ୟ ସଚେତନତା କରୁଛନ୍ତି । ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ସଭ୍ୟଙ୍କୁ ନେଇ ଏହି ନିର୍ବାଚନ ହେବାକୁ ଯାଉଛି।

ଗାଁ ଗାଁରେ ଭୋଟ ହାତେଇବା ପାଇଁ ପ୍ରଚାର ପ୍ରସାର ଆରମ୍ଭ ମଧ୍ୟ ହେଲାଣି ତେବେ ଏହାକୁ ଦୃଷ୍ଟିରେ ରଖି ଆଜି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରଣା, ଜିଲ୍ଲା ଆରକ୍ଷୀ ଅଧିକାରୀ ନିତିନ କୁଶଲକର ଓ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ କୁମାର ସିଂ ପ୍ରମୁଖ ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ ସ୍ଥାନୀୟ ପଞ୍ଚାୟତ କଲେଜ ଭୋଟ ଗଣତି କେନ୍ଦ୍ରକୁ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏଥିସହିତ ବିଡିଓ ଚନ୍ଦ୍ରମଣି ନାଗ,ଏସଡିିପିଓ ସୁରେନ୍ଦ୍ର ନାଥ ଶତପଥୀ, ସ୍ଥାନୀୟ ଥାନାଧିକାରୀ ଅବନୀ କୁମାର ସାହୁ ପ୍ରମୁଖଙ୍କ ଉପସ୍ଥିତରେ କିପରି ଭାବରେ ସ୍ୱଚ୍ଛ ଓ ନିର୍ମଳ ଭାବେ ନିର୍ବାଚନ କରାଯିବ ସେସମ୍ପର୍କରେ ଆଲୋଚନା କରିଥିଲେ । ତେବେ ଏହି ବ୍ଲକରେ ୨୨ଟି ପଞ୍ଚାୟତରେ ୨୭୨ଟି ମତଦାନ କେନ୍ଦ୍ର କରାଯାଇ ଥିବାବେଳେ ୮୫ ହଜାର ୧୮୮ ଜଣ ଭୋଟର ମତଦାନ କରିବେ ବୋଲି ଜଣାପଡ଼ିଛି । ସେମାନଙ୍କ ମଧ୍ୟରେ ୪୪ ହଜାର ୨୩୪ଜଣ ପୁରୁଷ ଥିବାବେଳେ ୪୦ ହଜାର ୯୫୧ ଜଣ ମହିଳା ରହିଛନ୍ତି । ତେବେ ଏହି ପଞ୍ଚାୟତ ନିର୍ବାଚନକୁ କିଭଳି ଭାବେ ଶାନ୍ତି ଶୃଙ୍ଖଳା ସହ କରାଯିବ ସେନେଇ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି ।