୪ ମାସରେ ୯.୯% ଅଧିକ ବର୍ଷା

ଭୁବନେଶ୍ୱର, ଏନ୍ଏନ୍ଏସ୍: ଜୁନ ମାସଠାରୁ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ଓଡ଼ିଶାର ସ୍ୱାଭାବିକଠାରୁ ୯.୯ ପ୍ରତିଶତ ଅଧିକ ବର୍ଷା ହୋଇଛି। ଏନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ଓଡ଼ିଶାରେ ଜୁନ ୨୧ ତାରିଖ ମୌସୁମୀ ପ୍ରବେଶ କରିଥିଲା। ଏହା ୨୨ ତାରିଖ ସୁଦ୍ଧା ସମଗ୍ର ଓଡ଼ିଶାକୁ ସ୍ପର୍ଷ କରିଥିଲା। ହେଲେ ମୌସୁମୀ ଛୁଇଁବା ପରେ ପ୍ରଥମ ଦୁଇ ମାସ ଭଲ ବର୍ଷା ନହୋଇଥିବାରୁ ପରିସ୍ଥିତି ଭୟଙ୍କର ହୋଇଥିଲା। ଏମିତିକି ଜୁନ ମାସରେ ରାଜ୍ୟରେ ୩୧.୫ ପ୍ରତିଶତ କମ ବର୍ଷା ହୋଇଥିବା ବେଳେ ଜୁଲାଇରେ ବର୍ଷାରେ ସାମାନ୍ୟ ବୃଦ୍ଧି ହୋଇ ଏହା ୯.୦ ପ୍ରତିଶତକୁ ଖସିଥିଲା। ମାତ୍ର ଗତ ଅଗଷ୍ଟ ମାସରେ ୨୪.୫ ଓ ସେପ୍ଟେମ୍ବରରେ ସ୍ୱାଭାବିକଠାରୁ ୫୩.୭ ପ୍ରତିଶତ ଅଧିକ ବର୍ଷା ହୋଇଛି।

ତେବେ ଗତ ଦୁଇମାସ ମଧ୍ୟରେ ପଶ୍ଚିମ ସମତେ ଦକ୍ଷିଣ ଓଡ଼ିଶାରେ ବିଭିନ୍ନ ସମୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଜୁଲାଇ ୨୭ ତାରିଖ ୫ ଅଗଷ୍ଟ ପର୍ଯ୍ୟନ୍ତ ବନ୍ୟା ହୋଇଥିବା ବେଳେ ୬ ଅଗଷ୍ଟରୁ ୧୧ ଅଗଷ୍ଟ ଓ ୧୨ ଅଗଷ୍ଟରୁ ୧୬ ଅଗଷ୍ଟରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ସେହିପରି ମହାନଦୀରେ ମଧ୍ୟ ଚଳିତ ଥର ମଧ୍ୟମ ଧରଣର ବନ୍ୟା ଆସିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ତେବେ ବଲାଙ୍ଗିର ସହରେ ଚଳିତ ବର୍ଷ ଅଗଷ୍ଟ ୧୩ ତାରିଖରେ ସର୍ବାଧିକ ୫୫୫ ମିଲିମିଟର ବର୍ଷା ହୋଇଥିଲା। ଜିଲ୍ଲା ୱାରୀ ଦେଖିଲେ, ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୧୮୮୮.୬ ମିମି ବର୍ଷା ହୋଇଥିବା ବେଳେ ଏଠାରେ ୩୧.୯ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି।