ଲାଇନ୍ ଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌, ଖସିଗଲା ୨ ବଗି

ବଡବିଲ,ଏନ୍ଏନ୍ଏସ୍: ମାଲବାହୀ ଟ୍ରେନ ଲାଇନ ଚ୍ୟୁତ ହୋଇଛି। କେନ୍ଦୁଝର ଜିଲ୍ଲା ବଡବିଲ ରେଳ ସାଇଡିଂରେ ଆଇରନ ଫାଇନ୍ସ ବୋଝେଇ ମାଲବାହୀ ଟ୍ରେନ ଲାଇନ ଚ୍ୟୁତ ହୋଇଛି। ମାଲବାହୀ ଟ୍ରେନର ୨ଟି ବଗି ଟ୍ରାକରୁ ଖସିବା ସହ ଚକ ଭାଙ୍ଗି ବାହାରିଯାଇଛି।

ଫଳରେ ଶହେ ମିଟରରୁ ଉର୍ଦ୍ଧ୍ୱ ରେଳ ଟ୍ରାକ୍ କ୍ଷତିଗ୍ରସ୍‌ତ ହୋଇଛି। ରେଳ ସାଇଡିଂର ୫ ନମ୍ବର ଟ୍ରାକରେ ଏହି ଦୁର୍ଘଟଣା ଘଟିଛି। ତେବେ ମଙ୍ଗଳବାର ମାଲବାହୀ ବୋଝେଇ ଟ୍ରେନଟି ସାଇଡିଂରୁ ବାହାରିବା ସମୟରେ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଟ୍ରାକକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ରେଳ ବିଭାଗ ଉଦ୍ୟମ ଚଳାଇଛି।

ଘଟଣାସ୍ଥଳରେ ଟେକ୍ନିକାଲ ଟିମ ପହଞ୍ଚି ମରାମତି କାର୍ଯ୍ୟ ଚଳାଇଛନ୍ତି। ତେବେ କିପରି ଏହି ଦୁର୍ଘଟଣା ଘଟିଲା ସେନେଇ କାରଣ ଜଣାପଡିନାହିଁ। ଓଭର ଲୋଡିଂ ଯୋଗୁଁ ଦୁର୍ଘଟଣା ଘଟିଥିବ ବୋଲି ସନ୍ଦେହ କରାଯାଉଛି।