କେପ୍ ଟାଉନ୍,ଏଜେନ୍ସି: ବିରାଟ କୋହଲିଙ୍କ ବହୁ ପ୍ରତୀକ୍ଷିତ ଚମତ୍କାର ଟେଷ୍ଟ୍ ପାଳି (୭୯, ୨୦୧ ବଲ୍, ୧୨ ଚୌକା, ୧ ଛକା) ସତ୍ତ୍ବେ ଭାରତର ପ୍ରଥମ ପାଳି ମାତ୍ର ୨୨୩ ରନ୍ରେ ସୀମିତ ରହିଯାଇଛି। ପୁଣି ଥରେ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲରମାନେ ଭାରତକୁ ଅଡୁଆରେ ପକାଇଛନ୍ତି। ଐତିହାସିକ ଟେଷ୍ଟ୍ ଶୃଙ୍ଖଳା ବିଜୟ ଆଶାରେ ଥିବା ଭାରତୀୟ ଦଳ କିନ୍ତୁ ପ୍ରଥମ ଦିନ ଅଲ୍ଆଉଟ୍ ହୋଇ ଶକ୍ତ ଝଟ୍କା ପାଇଛି। ପ୍ରଥମ ଦିନ ଖେଳ ଶେଷ ବେଳକୁ ଦକ୍ଷିଣ ଆଫ୍ରିକା ୧ ୱିକେଟ୍ ହରାଇ ୧୭ ରନ୍ ସଂଗ୍ରହ କରିଛି। କୋହଲିଙ୍କ ପାଳି ସତ୍ତ୍ବେ ପ୍ରଥମ ଦିନର ସମ୍ମାନ ଘରୋଇ ଦଳ ନିକଟକୁ ଯାଇଛି।
ହ୍ୟାଟ୍ରିକ୍ ଟସ୍
ଭାରତୀୟ ଦଳ ଚଳିତ ଦକ୍ଷିଣ ଆଫ୍ରିକା ଗସ୍ତରେ ସମସ୍ତ ୩ ଟେଷ୍ଟ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ହ୍ୟାଟ୍ରିକ୍ ଅର୍ଜନ କରିଥିଲା। କୋହଲି ପ୍ରଥମ ଓ ତୃତୀୟ ଟେଷ୍ଟ୍ରେ ଟସ୍ ଜିତିଥିବା ବେଳେ କେଏଲ୍ ରାହୁଲ ଦ୍ବିତୀୟ ଟେଷ୍ଟ୍ରେ ମଧ୍ୟ ସଠିକ୍ କଏନ୍ ଡାକିଥିଲେ। ଉଭୟଙ୍କର ନିଷ୍ପତ୍ତି କିନ୍ତୁ ତିନିଟିଯାକ ଟେଷ୍ଟରେ ସମାନ ଥିଲା। ପ୍ରଥମେ ବ୍ୟାଟିଂକୁ ପସନ୍ଦ କରିଥିଲେ। ଜୋହାନ୍ସବର୍ଗରେ ବିଜୟୀ ଦକ୍ଷିଣ ଆଫ୍ରିକା ଦଳ ଅପରିବର୍ତିତ ରହିଥିଲା। ଭାରତ କିନ୍ତୁ ଦୁଇଟି ପରିବର୍ତନ ସହ ପଡ଼ିଆକୁ ଓହ୍ଲାଇଥିଲା। ହନୁମା ବିହାରୀଙ୍କ ବଦଳରେ ବିରାଟ କୋହଲି ଏବଂ ଆହତ ମହମ୍ମଦ ସିରାଜଙ୍କ ବଦଳରେ ଉମେଶ ଯାଦବ ଖେଳିଥିଲେ। ଈଶାନ୍ତ ଶର୍ମାଙ୍କୁ ଖେଳାଯିବା ନେଇ ପୂର୍ବାନୁମାନ କରାଯାଇଥିଲେ ମଧ୍ୟ ବିରାଟ କୋହଲି ଉମେଶଙ୍କୁ ପସନ୍ଦ କରିଥିଲେ। ଉମେଶ ନୂଆ ବଲ୍ରେ ୨ ଓଭର ବୋଲିଂ କରିଥିଲେ ମଧ୍ୟ ପ୍ରଭାବହୀନ ରହିଥିଲେ।