ଓରକେଲ ପୁଲିସ ଦ୍ୱାରା ୯୯ କିଲୋ ଗଞ୍ଜେଇ ଜବତ, କାର ସମେତ ୪ ଅଭିଯୁକ୍ତ ଗିରଫ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଓରକେଲ ଥାନାକୁ ମିଳିଛି ଆଉ ଏକ ସଫଳତା। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ୭ଟା ସମୟରେ ଗୁମ୍ମା ଫାଣ୍ଡି ଅଧିକାରୀ ଗିରୀଶ ଚନ୍ଦ୍ର ମହାରଣାଙ୍କ ନେତୃତ୍ୱରେ ଏକ ଟିମ ମାଲକାନଗିରି-ଜୟପୁର ମୁଖ୍ୟ ରାସ୍ତାର ନନ୍ଦିନୀଗୁଡ଼ା ଛକ ନିକଟରେ ଗାଡି ଯାଞ୍ଚ କରୁଥିବା ସମୟରେ ପ୍ରଥମେ ଏକ ଆପାଚି ବାଇକରେ ଆସୁଥିବା ୨ ଜଣ ବ୍ୟକ୍ତି ଅଟକାଇଥିଲେ। ଦୁହିଁଙ୍କୁ ପୁଲିସ ପଚରାଉଚୁରା କରିଥିଲା। ପଛପଟୁ ଏକ ଟାଟା ଇଣ୍ଡିଗୋ କାର ଫେକ ନଂ-(ଏପି-୩୧ଏକ୍ୟୁ-୦୨୮୩)ରେ ଆଉ ୨ ଜଣ ବ୍ୟକ୍ତି ଆସୁଥିଲେ। ତେବେ କାରରେ ବସିଥିବା ୨ ବ୍ୟକ୍ତି ବାଇକରେ ଆସିଥିବା ୨ ବ୍ୟକ୍ତିଙ୍କ ସହ ବାର୍ତ୍ତାଳାପ କରୁଥିବାରୁ ପୁଲିସର ସନ୍ଦେହ ହୋଇଥିଲା। ଏନେଇ ପୁଲିସ ଗାଡ଼ିକୁ ଯାଞ୍ଚ କରିଥିଲା। ଏହି ସମୟରେ ଗାଡ଼ିରୁ ୪ଟି ପ୍ୟାକେଟ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ପରେ ପୁଲିସ ଗଞ୍ଜେଇ ଓ ୨ ଗାଡ଼ିକୁ ଜବତ କରିବା ସହିତ ୪ ଅଭିଯୁକ୍ତଙ୍କୁ ଓରକେଲ ଥାନାକୁ ଅଣାଯାଇଥିଲା। ତେବେ ଏହି ଜବତ ଗଞ୍ଜେଇର ଓଜନ ୯୯ କିଲୋ ୬୦୦ ଗ୍ରାମ ବୋଲି ଜଣାପଡ଼ିଛି।

ସେହିପରି ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ଅଭିଯୁକ୍ତ ରାଜସ୍ଥାନର ଛୁରୁ ଜିଲ୍ଲାର ଦେୟାୱାଥା ଗ୍ରାମର ଓମପ୍ରକାଶ ଏବଂ ଜଣେ ଡୁଙ୍ଗରଗଡ଼ ଗ୍ରାମର ଅଶୋକ କୁମାର। ସେହିପରି ଅନ୍ୟ ୨ ଜଣ କାଲିମେଳା ବ୍ଲକ ଅନ୍ତର୍ଗତ ଚିନ୍ତଲୱାଡା ଗ୍ରାମର ସୋମନାଥ ଖରା ଏବଂ ରଙ୍ଗମାଟିଗୁଡା ଗ୍ରାମର ସମରା ମାଡକାମୀ ବୋଲି ପୁଲିସ ସୂଚନା ଦେଇଛି। ତେବେ ସେମାନେ ଏହି ଗଞ୍ଜେଇକୁ ଚିନ୍ତଲୱାଡା ଅଞ୍ଚଳରୁ ରାଜସ୍ଥାନକୁ ନେଉଥିବା ତଦନ୍ତକାରୀ ଅଧିକାରୀ ମିଲନ ମଜୁମଦାର ସୂଚନା ଦେଇଛନ୍ତି।

ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ ଲକ୍ଷ ହେବ ବୋଲି ପୁଲିସ ସୂଚନା ଦେଇଛି। ସେମାନଙ୍କ ବିରୋଧରେ ଥାନାରେ କେସ ନଂ-୧୭୦/୨୦ରେ ମାମଲା ରୁଜୁ ହୋଇ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଜଗଦୀଶ ବାରା ସୂଚନା ଦେଇଛନ୍ତି।