ମୁମ୍ବାଇ/ବେଙ୍ଗାଲୁରୁ,ଏଜେନ୍ସି: ଦେଶରେ ପୁଣି ଥରେ କରୋନା ସକ୍ରିୟ ହେବାରେ ଲାଗିଛି। ଶନିବାର ଠାରୁ ରବିବାର ମଧ୍ୟରେ ଅର୍ଥାତ ୨୪ ଘଣ୍ଟାରେ ୪୩ ହଜାର ୮୪୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମୋଟ ୧୯୭ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରୁ ମହାରାଷ୍ଟ୍ରରେ କେବଳ ୩୦ ହଜାର ୩୫୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପ୍ରାଣ ହାରିଛନ୍ତି ୯୯ ଜଣ ଆକ୍ରାନ୍ତ।
ମହାରାଷ୍ଟ୍ରରେ ଏଯାଏଁ ମୋଟ ୨୪ ଲକ୍ଷ ୭୯ ହଜାର ୬୮୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୧ ହଜାର ୩୧୪ ଜଣ ଗୃହ ସଂଗରୋଧରେ ଅଛନ୍ତି। ରାଜ୍ୟରେ ସୁସ୍ଥତା ହାର ୮୯.୩୨ ପ୍ରତିଶତ।
ମୁମ୍ବାଇରେ ୨୪ ଘଣ୍ଟା ମଧ୍ୟରେ ୩୭୭୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଦିନକରେ ୧୬୪୭ ଜଣ ସୁସ୍ଥ ହୋଇଛନ୍ତି। ନାଗରପୁରରେ ୩୬୧୪ ନୂଆଁ ସଂକ୍ରମଣ ଦେଖିବାକୁ ମିଳିଛି ଓ ୩୨ ଜଣ ପ୍ରାଣ ହାରିଛନ୍ତି।
ଏହାରି ମଧ୍ୟରେ କର୍ଣ୍ଣାଟକରେ ସ୍ଥିତି ବିଗିଡ଼ିବାରେ ଲାଗିଛି। କର୍ଣ୍ଣାଟକ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, କରୋନାର ୨ୟ ପ୍ରବାହ ଆରମ୍ଭ ହୋଇଯାଇଛି। ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୭୧୫ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ ୨ ଜଣ ପ୍ରାଣ ହରାଇଛନ୍ତି। ମୋଟ ୯ ଲକ୍ଷ ୭୦ ହଜାର ୨୦୨ ଜଣ ସଂକ୍ରମିତ ହୋଇଥିବା ବେଳେ ୧୨ ହଜାର ୩୪୪ ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ ଏବେ ୧୩ ହଜାର ୪୯୩ ଜଣ ପଜିଟିଭ ବ୍ୟକ୍ତିଙ୍କ ଚିକିତ୍ସା ଜାରି ରହିଛି।