କେରଳରେ ସିପିଏମ୍ ଓ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଲେ ୯୮ ନେତା

ଥିରୁଅନନ୍ତପୁରମ,ଏଜେନ୍ସି: କେରଳରେ ବିଜେପିର ଲୋକପ୍ରିୟତା ବଢ଼ିଚାଲିଛି। ପଶ୍ଚିମବଙ୍ଗ, ଗୁଜୁରାଟ ପରେ କେରଳରେ ମଧ୍ୟ ଅନ୍ୟ ଦଳ ଛାଡ଼ି ନେତାମାନେ ବିଜେପିରେ ସାମିଲ ହେଉଥିବା ଦୃଷ୍ଟିଗୋଚର ହେଉଛି। କେରଳର ରାଜଧାନୀ ଥିରୁଅନନ୍ତପୁରମରେ ୯୮ ଜଣ ସିପିଏମ୍ ଓ କଂଗ୍ରେସ ନେତା ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଳାଦ ଯୋଶୀଙ୍କ ଉପସ୍ଥିତିରେ କଂଗ୍ରେସ ଓ ସିପିଏମ ନେତାମାନେ ବିଜେପିରେ ନିଜର ସମର୍ଥକଙ୍କ ସହିତ ଯୋଗଦେଇଥିଲେ।

ଭାରତୀୟ ଜନତା ପାର୍ଟି ଗୁଜରାଟରେ ମଙ୍ଗଳବାର ୬ଟି ନଗର ନିଗମ ନିର୍ବାଚନରେ ବିଜୟୀ ହୋଇଥିବା ବେଳେ କେରଳରେ ୯୮ ଜଣ ନେତା କଂଗ୍ରେସ ଓ ସିପିଏମ ଦଳ ଛାଡ଼ିବା ବିଜେପି ପାଇଁ ଏକ ବଡ଼ ବିଜୟ। ଗତ ୨୧ ତାରିଖ ଦିନ ଅହମ୍ମଦାବାଦ, ସୁରତ, ଭଦୋଦରା, ରାଜକୋଟ, ଜାମନଗର ଓ ଭାବାନଗର଼ରେ ମତଦାନ ହୋଇଥିଲା। ସେଥିରେ ବିଜେପିକୁ ସମୁଦାୟ ୫୭୬ରୁ ୪୮୩ଟି ସିଟ ମିଳିଛି।

ଏହି ନଗର ନିଗମ ନିର୍ବାଚନରେ କଂଗ୍ରେସକୁ ୫୫ଟି, ଆମ ଆଦମୀ ପାର୍ଟିକୁ ୨୭ଟି ସିଟ ମିଳିପାରିଛି। ବିଜେପିକୁ ଅହମ୍ମଦାବାଦରେ ୧୯୨ରୁ ୧୫୯ଟି, ରାଜକୋଟରେ ୭୨ରୁ ୬୮ଟି, ଜାମନଗରରେ ୬୪ରୁ ୫୦, ଭାବାନଗର଼ରେ ୫୨ରୁ ୪୪, ଭଦୋଦରାରେ ୭୬ରୁ ୬୯ ଓ ସୁରତରେ ୧୨୦ରୁ ୯୩ଟି ସିଟ ମିଳିଛି।