କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲାରେ ୯୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୨୦କୁ ବୃଦ୍ଧି ପାଇଥିବା ନେଇ ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୬୧ ପୁରୁଷ ଓ ୩୬ ମହିଳା ରହିଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ଟିଏମସି କେନ୍ଦ୍ରରୁ ୨ଜଣ, ସ୍ଥାନୀୟ ସଂକ୍ରମଣ ୫୭ଜଣ ଓ ୩୮ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ କୋରାପୁଟ ପୌରାଞ୍ଚଳରୁ ୨୯, ଜୟପୁର ପୌରାଞ୍ଚଳରୁ ୨୫, ସୁନାବେଡ଼ା ପୌରାଞ୍ଚଳରୁ ୧୪ ଓ କୋଟପାଡ଼ ଏନଏସିରୁ ଜଣେ ରହିଛନ୍ତି।
ସୂଚନାଯୋଗ୍ୟ, କୋରାପୁଟ ଜିଲ୍ଲାର କୋରାପୁଟ ପୌରାଞ୍ଚଳ, ଜୟପୁର ଓ ସୁନାବେଡ଼ା ମ୍ୟୁନସିପାଲିଟିରେ ଦିନକୁଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସହରାଞ୍ଚଳର ଲୋକମାନେ ମାସ୍କ ବ୍ୟବହାର ଓ ସାମାଜିକ ଦୂରତାକୁ ମାନୁନଥିବା ସୂଚନା ଦେବାସହ ସମସ୍ତେ କୋଭିଡ-୧୯ ଗାଇଡଲାଇନକୁ ମାନିଲେ ଆମ୍ଭେମାନେ କୋଭିଡ ଯୁଦ୍ଧରେ ବିଜୟ ହାସଲ କରିପାରିବା ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। କୋରାପୁଟରେ କାର୍ଯ୍ୟରତ ସମସ୍ତ ସ୍ୱେଛାସେବୀ ଅନୁଷ୍ଠାନଗୁଡ଼ିକ କୋଭିଡ ଗାଇଡଲାଇନ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ପାଇଁ ସେ ନିବେଦନ କରିଥିଲେ।