କୋଭିସିଲ୍ଡ-କୋଭାସ୍କିନକୁ ୯୬ଟି ଦେଶରେ ମଞ୍ଜୁରି ମିଳିଛି: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ ତିଆରି ହୋଇଥିବା କୋଭିସିଲ୍ଡ ଓ କୋଭାସ୍କିନ୍‌ କୋଭିଡ-୧୯ ଟିକାକୁ ବିଶ୍ୱର ବିକଶିତ ଓ ବିକାଶଶୀଳ ରାଷ୍ଟ୍ରମାନେ ଗ୍ରହଣ କରିଛନ୍ତି। ଏପର୍ଯ୍ୟନ୍ତ ୯୬ଟି‌ ଦେଶରେ ଏହି ୨ଟି ଟିକାକୁ ମଞ୍ଜୁରି ମିଳିସାରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମଣ୍ଡାଭିଆ ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଉଭୟ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରି ଦେଇଛି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିକଟରେ ୮ଟି କୋଭିଡ-୧୯ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରି ଦେଇଛି। ଏଥିରେ ଭାରତର ୨ଟି ଟିକା ମଧ୍ୟ ସାମିଲ ରହିଛି। ମଣ୍ଡାଭିଆ କହିଛନ୍ତି ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଭାରତର ୨ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରି ଦେଇଥିବାରୁ ଖୁସି ଅନୁଭବ କରୁଛୁ।

କୋଭିସିଲ୍ଡ ଓ କୋଭାସ୍କିନ ଟିକାକୁ ମଞ୍ଜୁରି ଦେଇଥିବା ୯୬ଟି ଦେଶ ମଧ୍ୟରେ କାନାଡା, ଆମେରିକା, ଅଷ୍ଟ୍ରେଲିଆ, ସ୍ପେନ, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ବେଲଜିୟମ୍‌, ରୁଷିଆ ଓ ସୁଇଜରଲାଣ୍ଡ ରହିଛି।

କେନ୍ଦ୍ର ସରକାର କରୋନା ଟିକାକରଣକୁ ଏବେ ଅଧିକ ଗୁରୁତ୍ବ ଦେଉଛନ୍ତି। ଦେଶର କୌଣସି ଲୋକ କରୋନା ଟିକାରୁ ବାଦ୍‌ ନପଡ଼ନ୍ତୁ, ସେଥିପାଇଁ ଅଭିଯାନ ଚଳାଇଛନ୍ତି। ଚଳିତ ବର୍ଷ ଜାନୁଆରୀ ୧୬ ତାରିଖରେ ଟିକାକରଣ ଆରମ୍ଭ ହେବା ପରେ ଏପର୍ଯ୍ୟନ୍ତ ୧୦୦ କୋଟିରୁ ଊର୍ଦ୍ଧ୍ୱ ଡୋଜ୍‌ ଟିକା ଦିଆଯାଇସାରିଛି। ବିଭିନ୍ନ ମାଧ୍ୟମରେ ଦେଶରେ ଶତପ୍ରତିଶତ ଟିକାକରଣକୁ ଗୁରୁତ୍ୱ ଦିଆଯାଇଛି। ଏବେ ସରକାର ଘରକୁ ଘର ଯାଇ ଟିକା ଦେଉଛନ୍ତି।