କୋରାପୁଟରୁ ୯୦ କରୋନା ପଜିଟିଭ ଚିହ୍ନଟ : ମେଡିକାଲ୍ କଲେଜରେ ପ୍ରତିଷ୍ଠା ହେବ ୭୦ ଶଯ୍ୟା କୋଭିଡ୍ ହସ୍ପିଟାଲ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲାରେ ୯୦ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୯୬୦ରେ ପହଂଚିଥିବା ନେଇ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ସୁସ୍ଥ ହୋଇଥିବା କରୋନା ରୋଗୀ ଥିବାବେଳେ କୋରାପୁଟ ଓ ଜୟପୁର ପୌରାଂଚଳରୁ ୧୩, କୋଟପାଡ଼ ବ୍ଲକରୁ ୯, ସୁନାବେଡ଼ା ପୌରାଂଚଳରୁ ୧୫ , ସେମିଲିଗୁଡ଼ା ବ୍ଲକରୁ ୪ ବୋରିଗୁମ୍ମାରୁ ୩ ଓ କୋଟପାଡ଼ ଏନଏସିରୁ ଜଣେ ରହିଛନ୍ତି। ସେହିପରି ବୈପାରିଗୁଡ଼ା ବ୍ଲକ ଓ ପଟ୍ଟାଙ୍ଗୀରୁ ୨ ଲେଖାଏଁ, କୋରାପୁଟ ବ୍ଲକରୁ ୨୨, ଜୟପୁର , ଲମତାପୁଟ ଓ ଲକ୍ଷ୍ମୀପୁର ବ୍ଲକରୁ ଜଣେ ଲେଖାଏଁ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ଟିଏମସି କେନ୍ଦ୍ରର, ୫୦ଜଣ ହୋମ୍ କ୍ୱାରେଣ୍ଟାଇନ୍ ଏବଂ ୩୫ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ପ୍ଲାଜମା ବ୍ୟାଙ୍କ ଉଦଘାଟନୀ ଦିନ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ କୋରାପୁଟ ମେଡିକାଲ୍ କଲେଜରେ ଆଉ ଏକ କୋଭିଡ୍ ହସ୍ପିଟାଲ୍ ଖୋଲିବାକୁ ଅନୁରୋଧ କରାଯାଇଥିଲା। ଜିଲ୍ଲା ପ୍ରଶାସନର ଅନୁରୋଧ ରକ୍ଷା କରି ରାଜ୍ୟ ସରକାର ସହମତି ପ୍ରକାଶ କରିଥିବାବେଳେ ଆସନ୍ତା କିଛିଦିନ ମଧ୍ୟରେ କୋରାପୁଟ ଏସଏଲଏନ୍ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ୭୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ ଖୋଲିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏହାଦ୍ୱାରା କୋରାପୁଟ ଜିଲ୍ଲାରେ ଚିହ୍ନଟ ପଜିଟିଭ୍ ରୋଗୀଙ୍କୁ ଚିକିତ୍ସା ପାଇଁ ସୁବିଧା ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।