ମଦ ନମିଳିବାରୁ ସାନିଟାଇଜର ପିଇ ୯ ମୃତ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରେ ସାନିଟାଇଜର ପିଇ ୯ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୩ଜଣ ଭିକାରୀ ଓ ୬ଜଣ ସ୍ଥାନୀୟ ରହିଥିବା ନେଇ ସୂଚନା ମିଳିଛି। ଏ ଘଟଣାକୁ ନେଇ ସ୍ଥାନୀୟ ଏସପି ସିଦ୍ଧାର୍ଥ କୌଶଲ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଲକଡାଉନ ଯୋଗୁ ୧୦ ଦିନ ହେବ ମଦ ଦୋକାନ ବନ୍ଦ ଥିବା ଯୋଗୁ କିଛି ଲୋକ ସାନିଟାଇଜର ପିଇଥିଲେ। ଜଣେ ମଦରେ ସାନିଟାଇଜର ମିଶାଇ ପିଇଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି। ଗ୍ରାମବାସୀଙ୍କ କହିବାନୁସାରେ, ଶସ୍ତା ମଦରେ ସାନିଟାଇଜର ମିଶାଇ ପିଇବା ଯୋଗୁ ତଣ୍ଟି ଶୁଖି ମୃତ୍ୟୁ ଘଟିଛି। ସ୍ଥାନୀୟ ପୋଲରମା ମନ୍ଦିର ନିକଟସ୍ଥ ରାସ୍ତାରେ ସାନିଟାଇଜର ମିଶା ମଦ ପିଇବା ଯୋଗୁ ଗୁରୁବାର ଜଣେ ଭିକାରୀର ମୃତ୍ୟୁ ଘଟିଥିଲା। ଅନ୍ୟଜଣଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା ଓ ଚିକିତ୍ସାଧୀ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପଟେ ଆଉ ୭ଜଣଙ୍କର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏସମ୍ପର୍କରେ ପୁଲିସକୁ ସୂଚନା ମିଳିବା ପରେ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।