ଭାରତ-ଚୀନ କୋର କମାଣ୍ଡରସ୍ତରୀୟ ୮ମ ବୈଠକ ଆଜି, ଏହି ପ୍ରସଙ୍ଗରେ ହୋଇପାରେ ଆଲୋଚନା

ନୂଆଦିଲ୍ଲୀ,ଏଜେନ୍ସି: ଲଦାଖରେ ସୀମାକୁ ନେଇ ଉତ୍ତେଜନା ଲାଗି ରହିଛି। ଏନେଇ ଉଭୟ ସେନାର ଆଜି ଅଷ୍ଟମ କମାଣ୍ଡର ସ୍ତରୀୟ ଆଲୋଚନା ହେବାକୁ ଯାଉଛି। ଏହି ଆଲୋଚନାରେ ଚୀନ ସୈନିକ ସୀମାରୁ ପଛକୁ ଘୁଞ୍ଚିବାକୁ ଭାରତ ଯୋର ଦେଇପାରେ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବୈଠକ ଶୁକ୍ରବାର ସକାଳ ସାଢ଼େ ୯ଟାରୁ ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ର ଭାରତୀୟ ଅଞ୍ଚଳ ଚୁଶୁଲରେ ଅନୁଷ୍ଠିତ ହେବ।

ପୂର୍ବ ଲଦାଖରେ ଭୀଷଣ ଶୀତ ସମୟରେ ଏବେ ପାଖାପାଖି ୫୦ ହଜାର ସୈନିକ ମୁତୟନ ଅଛନ୍ତି। ତେଣୁ କୌଣସି ସ୍ଥିତିରେ ଏହି ଉତ୍ତେଜନା ହ୍ରାସ କରିବାକୁ ବୈଠକରେ ଆଲୋଚନା ହେବ। ଦୀର୍ଘ ୬ ମାସ ହେବ ଏଠାରେ ଉତ୍ତେଜନା ଜାରି ଥିବା ଉଭୟ ଦେଶ ମଧ୍ୟରେ ବିଗତ ଦିନରେ ୭ଟି ପର୍ଯ୍ୟାୟର ଆଲୋଚନା ବିଫଳ ହୋଇଛି। ଚୀନ ମଧ୍ୟ ପାଖାପାଖି ୫୦ ହଜାର ସୈନିକ ମୁତୟନ କରିଛି।

ପୂର୍ବରୁ ଅକ୍ଟୋବର ୧୨ ତାରିଖରେ ଉଭୟ ଦେଶ ମଧ୍ୟରେ ବୈଠକ ହୋଇଥିଲା। ନୂତନ ଯୁଗର ଭାରତ ଚୀନର ଆଖିରେ ଆଖି ମିଶାଇ ଭଲ ଭାବରେ ବୁଝାଇ ଦେଇଛି ଯେ, ବିସ୍ତାରବାଦ ସହିତ ଜଡ଼ିତ ତାର କୌଣସି ଷଡ଼ଯନ୍ତ୍ର କାମ କରିବ ନାହିଁ। ଭାରତର ଏକ ଇଞ୍ଚ ଜମି ଜବରଦଖଲ କରିବା ପୂର୍ବରୁ ଚୀନକୁ ଅନେକ ଥର ଚିନ୍ତା କରିବାକୁ ପଡ଼ିବ। ସୀମା ବିବାଦ ଶେଷ କରିବା ଲାଗି ପାୱାର ଚାଇନା ଷ୍ଟଡି ଗ୍ରୁପ ଗଠନ କରାଯାଇଛି। ନୂଆଦିଲ୍ଲୀ ତରଫରୁ ବେଜିଂ ଉପରେ କ୍ରମାଗତ ଭାବେ ଚାପ ପ୍ରୟୋଗ କରାଯାଉଛି। ଯେକୌଣସି ସ୍ଥିତିରେ ଚୀନକୁ ଲଦାଖ ଏବଂ ପୂରା ଅଞ୍ଚଳରେ ୨୦୨୦ ଏପ୍ରିଲ ପୂର୍ବ ସ୍ଥିତି ଅଣାଯିବାକୁ ଉଦ୍ୟମ ହୋଇଛି।