ମେଣ୍ଢା ମଡ଼କ, ନିମୋନିଆରେ ୮୧ ମୃତ

ବାଲିପଡ଼ା,ଏନ୍ଏନ୍ଏସ୍: କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ମହୁଡ଼ା ପଞ୍ଚାୟତର ନରସିଂହପୁର ଗ୍ରାମରେ ଗତ କିଛି ଦିନ ଧରି କୌଣସି ଏକ ରୋଗରେ ଆକ୍ରାନ୍ତ ହୋଇ ୮୧ଟି ମେଣ୍ଢା ମୃତ୍ୟୁବରଣ କରିଛନ୍ତି। ପ୍ରାଥମିକ ପରୀକ୍ଷାରୁ ଜାଣିବାକୁ ମିଳିଛି ଯେ, ମେଣ୍ଢାମାନେ ନିମୋନିଆ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ମେଣ୍ଢାମାନେ ନିମୋନିଆରେ ପୀଡ଼ିତ ହେବା ପରେ ଫୁସ୍ଫୁସ୍ରେ କ୍ଷତ ସୃଷ୍ଟି ହୋଇ ମରୁଛନ୍ତି ବୋଲି କଟକରୁ ଆସିଥିବା ୨ ଜଣିଆ ସାଇଣ୍ଟିଫିକ୍ ଟିମଙ୍କ ଠାରୁ ପ୍ରକାଶ। ଏହି ରୋଗରେ ଆକ୍ରାନ୍ତ ହୋଇ ୮୧ଟି ମେଣ୍ଢା ବର୍ତ୍ତମାନ ସୁଦ୍ଧା ମୃତ୍ୟୁବରଣ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଆତଙ୍କିତ ହୋଇ ପଡ଼ିଛନ୍ତି।

ଉକ୍ତ ଗ୍ରାମରେ ରହୁଥିବା ବିନ ଗୌଡ଼ ଏବଂ ତାଙ୍କ ଭାଇ ମୁନା ଗୌଡ଼ଙ୍କର ୨୫୦ଟି ମେଣ୍ଢା ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୮୧ଟି ମେଣ୍ଢା ମୃତ୍ୟୁବରଣ କରିସାରିଥିବା ନେଇ ଦୁଇ ଭାଇ କହିଛନ୍ତି। ବର୍ତ୍ତମାନ ବଞ୍ଚଥିବା ମେଣ୍ଢାମାନଙ୍କୁ ଇଞ୍ଜେକସନ ଦିିଆଯିବା ସହିତ ଚିକିତ୍ସା ଜାରି ରହିଛି। ରୋଗରେ ଆକ୍ରାନ୍ତ ହେବା ଯୋଗୁଁ ମେଣ୍ଢାମାନେ ଠିକ୍ ରୂପେ ଚାଲି ପାରୁନଥିବା ଜଣାପଡ଼ିଛି। ସେମାନଙ୍କୁ ଅଧିକ ଚିକିତ୍ସାର ଆବଶ୍ୟକତା ରହିଛି। କିନ୍ତୁ ଏହିଭଳି ଏକ ମାରାତ୍ମକ ରୋଗ ସୃଷ୍ଟି ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ମେଣ୍ଡା ରଖି ପରିବାର ପ୍ରତିପୋଷଣ କରୁଥିବା ଲୋକମାନେ ଚିନ୍ତାରେ ପଡିଛନ୍ତି।