ସଢ଼ିଗଲା ୮୦ କୋଟି ଟଙ୍କାର ସେଓ

କଟକ,ଏନ୍ଏନ୍ଏସ୍: ରାଜ୍ୟର ଫଳ ବ୍ୟବସାୟର ମୁଖ୍ୟ ପେଣ୍ଠସ୍ଥଳ ଛତ୍ରବଜାରରେ ଫଳ ବ୍ୟବସାୟୀମାନେ କରୋନା ଯୋଗୁଁ ଯଥେଷ୍ଟ ପ୍ରଭାବିତ ହୋଇଛନ୍ତି। ବିଶେଷକରି ସେଓ ବ୍ୟବସାୟରେ ବ୍ୟାପକ କ୍ଷତି ଘଟିଛି। କରୋନା ଯୋଗୁଁ ଫଳ ବ୍ୟବସାୟ ସମ୍ପୂର୍ଣ୍ଣ ମାନ୍ଦା ଥିବାବେଳେ ପ୍ରାୟ ୮୦ କୋଟି ଟଙ୍କାର ସେଓ ଶୀତଳ ଭଣ୍ଡାରରେ ପଚିସଢ଼ି ନଷ୍ଟ ହୋଇଯାଇଛି। ଫଳରେ ଫଳ ବ୍ୟବସାୟୀମାନେ ମୁଣ୍ଡରେ ହାତଦେଇ ବସିବା ସହ ରାଜ୍ୟ ସରକାରଙ୍କୁ ପ୍ରୋତ୍ସାହନ ଯୋଗାଇଦେବା ନିମନ୍ତେ ନିବେଦନ କରିଛନ୍ତି।

ସୂଚନା ଅନୁସାରେ ଛତ୍ରବଜାରରେ ପ୍ରାୟ ୧୬ ଜଣ ହୋଲସେଲର ଫଳ ବ୍ୟବସାୟୀ ରହିଛନ୍ତି। ଛତ୍ରବଜାରର ଏହି ହୋଲସେଲର ମାନଙ୍କଠାରୁ ଖୁଚୁରା ବ୍ୟବସାୟୀ ଫଳ ନେଇ ବିକ୍ରି କରିଥାନ୍ତି। ତେବେ ଶୀତଳଭଣ୍ଡାରରେ ପ୍ରାୟ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗଚ୍ଛିତ ରହିଥିବା ସେଓ ଏବେ କରୋନା ଯୋଗୁ ପଚିସଢି ନଷ୍ଟ ହେବା ଉପରେ। ମାର୍ଚ୍ଚ ମାସରେ କରୋନା ଆତଙ୍କ ଦେଖାଦେବା ସହ ଲକଡାଉନ ଓ ସଟ୍‌ଡାଉନ ଯୋଗୁଁ ପ୍ରାୟ ୮୦ କୋଟି ଟଙ୍କାର ସେଓ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। କେବଳ ଓଡ଼ିଶା ନୁହେଁ ସାରା ଭାରତରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ଗୋଟିଏ ପେଟି(୧୮ କିଲୋ) ସେଓ ୧୨ଶହ ଟଙ୍କା ଥିବାବେଳେ ଏବେ ଏହା ଶାଗ ମାଛ ଦର ଅର୍ଥାତ୍ ୧୦୦ରୁ ୨୦୦ ଟଙ୍କାରେ ବିକ୍ରି ହେଉଛି। ଲକଡାଉନ ଓ ସଟ୍‌ଡାଉନ ଯୋଗୁଁ ଜନସାଧାରଣ ବିଶେଷ ଭାବେ ପଦାକୁ ବାହାରୁ ନଥିବାରୁ ଫଳ ବିକ୍ରି ମାନ୍ଦାର ମୁଖ୍ୟ କାରଣ। ସେହିଭଳି ଅନ୍ୟାନ୍ୟ ଫଳ ମଧ୍ୟ ଖୁବ୍ କମ୍ ଦରରେ ବିକ୍ରି ହେଉଛି। ତେଣୁ ସରକାର ସବୁ କ୍ଷେତ୍ରରେ ବିଚାର କରୁଥିବାବେଳେ ଫଳ ବ୍ୟବସାୟୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିବା ପାଇଁ ଫଳ ବ୍ୟବସାୟୀ ଧର୍ମାନନ୍ଦ ପାତ୍ର ଦାବି କରିଛନ୍ତି।