ଘରପୋଡ଼ି ଘଟଣା, ଯୁବକଙ୍କୁ ୮ବର୍ଷ ଜେଲ

ନୟାଗଡ଼,ଏନ୍ଏନ୍ଏସ୍: ନୟାଗଡ଼ ଜିଲ୍ଲା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମାନସ କୁମାର ପଣ୍ଡା ଏକ ଘରପୋଡ଼ି ମାମଲାର ବିଚାର କରି ଦଶପଲ୍ଲା ସ୍ଥିତ କ୍ୟାମ୍ପକୋର୍ଟରେ କରଡ଼ାପଡ଼ା ଗ୍ରାମର ବିରଞ୍ଚି ନାୟକଙ୍କ ପୁଅ ଶଙ୍କର ନାୟକଙ୍କୁ ୮ବର୍ଷ ସଶ୍ରମ କାରାଦଣ୍ଡ ସହ ୨ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି।

ସୂଚନା ଅନୁସାରେ ୨୦୧୮ ମସିହା ଫେବୃଆରୀ ୧୧ତାରିଖ ଅପରାହ୍ଣରେ କରଡପଡ଼ା ଗ୍ରାମରେ ଅଭିଯୁକ୍ତ ଶଙ୍କର ଏକ ଫାର୍ସା ଧରି ଲୋକଙ୍କୁ ଭୟଭୀତ କରିବା ସହିତ ମହିଳାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ଏଥିସହ ଘରର ଖୁଣ୍ଟ ଓ ଆଜିବେଷ୍ଟସକୁଭାଙ୍ଗି ଦେଇଥିଲା। ଗ୍ରାମବାସୀ ଏହାର ବିରୋଧ କରିବାରୁ ଶଙ୍କର ଗାଁରେ ନିଆଁ ଲଗାଇ ଦେଇଥିଲା। ଫଳରେ ଗାଁରେ ୩- ୪ଟି ଘର ପୋଡ଼ି ଯାଇଥିଲା। ଘଟଣା ସମ୍ପର୍କରେ ଗୋପୀନାଥ ଦଶପଲ୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ପୁଲିସ ଏ ନେଇ ଏମ ମାମଲା ୨୫/୧୮ରେ ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଦଶପଲ୍ଲା କୋର୍ଟରୁ ଏହି କେସ୍‌ସ୍ଥାନାନ୍ତରିତ ହୋଇ ସିଜିଏମ୍ କୋର୍ଟରେ ବିଚାର ଚାଲିଥିଲା। ସେଠାରେ ସାକ୍ଷୀମାନଙ୍କର ବୟାନକୁ ଆଧାର କରି ବିଚାରପତି ଆସାମୀକୁ ୮ବର୍ଷ ସଶ୍ରମ କାରାଦଣ୍ଡ ସହ ୨ହଜାର ଟଙ୍କା ଜୋରିମାନା ଦେଇଥିଲେ। ସେହିପରି ଏହି କେସ୍‌କୁ ଅମିୟ ପଟ୍ଟନାୟକ ପରିଚାଳନା କରିଥିଲେ।