୮ ମାଓବାଦୀ ଗିରଫ, ୨ ଜଣଙ୍କ ମୁଣ୍ଡ ଉପରେ ଥିଲା ୧୩ ଲକ୍ଷ ପୁରସ୍କାର ରାଶି

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକମା ଜିଲ୍ଲା ପୁଲିସକୁ ମିଳିଛି ବଡ ସଫଳତା। କମ୍ବିଂ ଅପରେସନ ବେଳେ ପୁଲିସ ୮ ଜଣ ମାଓବାଦୀଙ୍କୁ ଗିରଫ କରିଛି। ସୁକମା ଚିନ୍ତଲନାର ଥାନା ଅନ୍ତର୍ଗତ ମୋରାପାଲ୍ଲି, ଡିମ୍ମାପୁରମ ଓ ଜଜ୍ୱାଗଟା ଜଙ୍ଗଲରେ ଡିଆଇଜି ଓ ୨୦୧ କୋବ୍ରା ବାଟାଲିୟନର ଯବାନମାନେ ମିଳିତ ଭାବେ କମ୍ବିଂ ଅପରେସନ କରିଥିଲେ।

ଏହି ସମୟରେ ୮ ଜଣ ମାଓବାଦୀଙ୍କୁ ଗିରଫ କରିଛନ୍ତି। ଗିରଫ ମାଓବାଦୀମାନେ ଦୀର୍ଘ ଦିନ ଧରି ମାଓ ସଂଗଠନରେ ସକ୍ରିୟ ଥିଲେ। ଯବାନଙ୍କ ଉପରେ ଫାୟାରିଂ, ଉନ୍ନୟନ ମୂଳକ କାମକୁ ବିରୋଧ କରି ଗାଡି ପୋଡି, ରାସ୍ତା କାଟିବା, ସାଧାରଣ ଆଦିବାସୀ ଲୋକଙ୍କୁ ପୁଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିବା ଓ ମାଓ କମାଣ୍ଡରଙ୍କ ଆଦେଶରେ ବିଭିନ୍ନ ଗାଁରେ ମାଓମେଳିର ଆୟୋଜନ ଭଳି ବହୁ ଅପରାଧିକ ମାମଲାରେ ଜଡିତ ଥିଲେ।

ଗିରଫ ୮ ଜଣ ନକ୍ସଲଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସୁକମା ଏସପି କହିଛନ୍ତି। ସେହିପରି ଗିରଫ ହୋଇଥିବା ୮ ମାଓବାଦୀଙ୍କ ମଧ୍ୟରୁ ୨ ଜଣଙ୍କ ନାଁରେ ପୁରସ୍କାର ରାଶି ରହିଥିଲା। ଜଣଙ୍କ ମୁଣ୍ଡରେ ୮ ଲକ୍ଷ ଥିବା ବେଳେ ଅନ୍ୟ ଜଣଙ୍କ ନାଁରେ ୫ ଲକ୍ଷ ଟଙ୍କା ରହିଥିଲା। ସେହିପରି ମାଓବାଦୀଙ୍କ ଠାରୁ ଆଇଡି, ବିସ୍ଫୋରକ ସହ ଅନ୍ୟ ଅପରାଧିକ ସାମଗ୍ରୀ ଜବତ କରାଯାଇଛି।