ୱାଶିଂଟନ,ଏଜେନ୍ସି: ଆମେରିକା ଆଟଲାଣ୍ଟାରେ ଭୟାନକ ଗୁଳିମାଡ଼ ହୋଇଛି। ଆଟଲାଣ୍ଟା ସ୍ଥିତ ଜର୍ଜିଆର ୩ଟି ସ୍ପା ଭିତରେ ପଶି ଜଣେ ଦୁର୍ବୃତ୍ତ ଏହି ଗୁଳିମାଡ଼ କରିଥିବା ସୂଚନା ମିଳିଛି। ଏଥିରେ ୪ଜଣ ମହିଳାଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଏହି ଗୁଳିମାଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
ସିସିଟିଭି ଫୁଟେଜ ଆଧାରରେ ଦକ୍ଷିଣ-ପଶ୍ଚିମ ଜର୍ଜିଆରୁ ଜଣେ ୨୧ ବର୍ଷୀୟ ସନ୍ଦିଗ୍ଧ ଯୁବକକୁ ପୁଲିସ ଗିରଫ କରିଛି। ଆଟଲାଣ୍ଟାର ପୁଲିସ ପ୍ରମୁଖ ରୋଡନି ବ୍ରାୟଣ୍ଟଙ୍କ କହିଛନ୍ତି, ଗୁଳିମାଡ଼ରେ ଉତ୍ତର-ପୂର୍ବ ଆଟଲାଣ୍ଟାର ଏକ ସ୍ପା ଭିତରେ ୩ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ରାସ୍ତା ଆରପାର୍ଶ୍ୱରେ ଥିବା ଆଉ ଏକ ସ୍ପା’ରୁ ଆଉ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସେହିପରି ଏହାର ୩୦ କିଲୋମିଟର ଦୂର ଉତ୍ତର-ପଶ୍ଚିମ ଆଟଲାଣ୍ଟାର ଆଉ ଏକ ସ୍ପା’ରୁ ୪ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଛି।