କନ୍ଧମାଳରେ ହେବ ୮ଟି ଏକଲବ୍ୟ ବିଦ୍ୟାଳୟ

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଞ୍ଜୁର ହେଇଥିବା ୮ଟି ଏକଲବ୍ୟ ଆବାସିକ ବିଦ୍ୟାଳୟର ଭିତ୍ତପ୍ରସ୍ତର ଖୁବଶୀଘ୍ର ସ୍ଥାପନ ପାଇଁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ନିକଟରେ ବାଲିଗୁଡ଼ା ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ଦାବୀ କରିଛନ୍ତି । ଜିଲ୍ଲାରେ ବସବାସ କରୁଥିବା ଅନୁସୂଚିତ ଜନଜାତି ଓ ଜାତି ଛାତ୍ରଛାତ୍ରୀଙ୍କୁ ସର୍ବଭାରତୀୟସ୍ତରରେ ସମକକ୍ଷ କରିବା ଲାଗି ସିବିଏସଇ ପାଠପଢ଼ା ସହ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହେବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଏକଲବ୍ୟ ଆବାସିକ ବିଦ୍ୟାଳୟମାନ ସ୍ଥାପନ କରାଯାଉଛି । ସେଥିମଧ୍ୟରୁ କନ୍ଧମାଳ ଜିଲ୍ଲାରେ ୮ଟି ସ୍ଥାନରେ ଏକଲବ୍ୟ ଆବାସିକ ବିଦ୍ୟାଳୟ ଖୋଲିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେଥିମଧ୍ୟରେ ତୁମୁଡ଼ିବନ୍ଧ ବ୍ଲକର ଏକଲବ୍ୟ ଆବାସିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବାବେଳେ କୋଟଗଡ଼, କ.ନୂଆଗାଁ ବ୍ଲକର ସାରଙ୍ଗଗଡ଼, ଜି.ଉଦୟଗିରି, ଦାରିଙ୍ଗବାଡ଼ି, ରାଇକିଆ, ଟିକାବାଲି ଓ ଫୁଲବାଣୀରେ ଖୁବଶୀଘ୍ର ଭିତ୍ତିପ୍ରସ୍ତର କାର୍ଯ୍ୟ ଆରମ୍ଭ କରିବା ପାଇଁ ବାଲିଗୁଡ଼ା ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ଦିଲ୍ଲୀ ଯାଇ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଦାବୀ କରିଛନ୍ତି । ଶ୍ରୀ ଟୁଡୁ ଚଳିତ ମାସ ଶେଷ ସପ୍ତାହରେ କନ୍ଧମାଳ ଗସ୍ତ କରିବା ସହ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦନ ହୋଇଥିବା ଉକ୍ତ ୭ଟି ଏକଲବ୍ୟ ଆବାସିକ ବିଦ୍ୟାଳୟର ଭୂମି ପୂଜନ କାର୍ଯ୍ୟ ଓ ଭିତ୍ତପ୍ରସ୍ତ ସ୍ଥାପନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ନେଇ ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ପ୍ରକାଶ କରିଛନ୍ତି ।