ବିଶ୍ୱରେ ୮.୮୧ ନିୟୁତ ଲୋକ କରୋନା ଆକ୍ରାନ୍ତ, କେବଳ ବ୍ରାଜିଲରେ ଗଲାଣି ୫୦ ହଜାର ଜୀବନ

ନୂଆଦିଲ୍ଲୀ,ଏଜେନ୍ସି: ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮.୮୧ ନିୟୁତ ଟପିଛି। ଏଥିସହିତ ମୃତ୍ୟୁସଂଖ୍ୟା ୪,୬୨,୯୬୦ରେ ପହଞ୍ଚିଛି। ତେବେ ଆମେରିକା ପରେ ବ୍ରାଜିଲ ବିଶ୍ୱର ଦ୍ୱିତୀୟ କରୋନା ହଟସ୍ପଟ ‌ପାଲଟିଛି। ବ୍ରାଜିଲରେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୫୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଗତ ୨୪ ଘଣ୍ଟା ୧୦୨୨ ଜଣ କରୋନାରେ ପ୍ରାଣ ହରାଇଥିବା ବୋଲି ଦେଶର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ସରକାରୀ ସୂଚନା ଅନୁସାରେ ବ୍ରାଜିଲରେ କରୋନାରେ ୪୯,୯୭୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୬୭ ହଜାର ୫୭୯ରେ ପହଞ୍ଚିଛି। ବ୍ରାଜିଲ ତୁଳନାରେ ଆମେରିକାରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଅଧିକ ରହିଛି। ବ୍ରାଜିଲରେ ପ୍ରଥମ କରୋନା ରୋଗୀ ଚଳିତବର୍ଷ ଫେବୃଆରୀ ୨୬ରେ ଚିହ୍ନଟ ହୋଇଥିବାବେଳେ ଗତ ଶୁକ୍ରବାର‌ ସେଠା‌ରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିଛି।

ଲାଟିନ ଆମେରିକାରେ କେବଳ ବ୍ରାଜିଲ ନୁହେଁ, ଅନ୍ୟ କେତେକ ଦେଶ ମଧ୍ୟ କରୋନାରେ ଅଧିକ ମାତ୍ରାରେ କ୍ଷତି ସହିଛନ୍ତି। ଲାଟିନ ଆମେରିକୀୟ ଦେଶଗୁଡ଼ିକରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ନିୟୁତ ଅତିକ୍ରମ କରି ୨,୦୦୪,୦୧୯ରେ ପହଞ୍ଚିଛି। ସେହିଭଳି ଇଟାଲିରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୩୮,୨୭୫ରେ ଏବଂ ମୃତକଙ୍କ ସଂଖ୍ୟା ୩୪,୬୧୦ରେ ପହଞ୍ଚିଛି।