ଅନ୍ଵେଷା ହଷ୍ଟେଲରେ ରୋଷେଇ କରୁଥିବା ଯୁବତୀର ସନ୍ଦେହ ଜନକ ଭାବେ ଝୁଲନ୍ତା ମୃତ ଦେହ ଉଦ୍ଧାର

ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ବ୍ଲକ୍ ଅନ୍ତର୍ଗତ ଟିର୍ଲିଆମ୍ବଗୁଡା ସ୍ଥିତ ଅନ୍ଵେଷା ହଷ୍ଟେଲରେ ରୋଷେଇ କରୁଥିବା ଯୁବତୀର ଝୁଲନ୍ତା ମୃତ ଦେହ ଏକ ଗଛରୁ ଉଦ୍ଧାର ହୋଇଛି। ତେବେ ଏହା ଆତ୍ମହତ୍ୟା ଅଭିଯୋଗ ହେଉଥିବା ବେଳେ କାରଣ ଅସ୍ପଷ୍ଟ ରହିଛି। ତେବେ ଜଣଙ୍କ ହେଉଛନ୍ତି ରାଇଘର ବ୍ଲକ୍ ଡଙ୍ଗରିପାରା ଗ୍ରାମର ଗୁରୁବାରୀ ଗଣ୍ଡ(୨୫)।

ସେ ପ୍ରାୟ ୪ବର୍ଷ ହେବ ରାନ୍ଧୁଣିଆ ଭାବେ ଅନ୍ଵେଷା ହଷ୍ଟେଲରେ କାର୍ୟ୍ୟ କରିଆସୁଥିଲେ। ଗତକାଲି ସନ୍ଧ୍ୟାରେ ସେ ରୋଷେଇ କାର୍ୟ୍ୟ ସାରି କେଉଁ ଆଡେ ଉଭାନ ହୋଇଯାଇଥିଲେ। ଏ ନେଇ ହଷ୍ଟେଲ କର୍ତ୍ତୃପକ୍ଷ ତାଙ୍କୁ ଖୋଜା ଖୋଜି କରିବା ସହ ତାଙ୍କ ଫୋନ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ତାଙ୍କଠାରୁ କୌଣସି ଉତ୍ତର ମିଳିନଥିଲା। ହଷ୍ଟେଲ କର୍ତ୍ତୃପକ୍ଷ ଏ ନେଇ ଚିନ୍ତାରେ ଥିଲେ। ପରେ ଆଜି ସକାଳେ ନିକଟସ୍ଥ କାଜୁ ବାଡ଼ର ଏକ କାଜୁ ଗଛରେ କେହି ଆତ୍ମହତ୍ୟା କରିଥିବା ଜାଣିବା ପରେ ଅନ୍ଵେଷା ହଷ୍ଟେଲ ସୁପରିଟେଣ୍ଡେଣ୍ଟ ଘଟଣାସ୍ଥଳକୁ ଯାଇ ମୃତ ଯୁବତୀଙ୍କୁ ଚିହ୍ନଟ କରିଥିଲେ।

ଏ ନେଇ ନବରଙ୍ଗପୁର ଥାନାରେ ଖବର ଦେବାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛି। କେଉଁ କାରଣରୁ ଯୁବତୀ ଜଣଙ୍କ ଏଭଳି ପଦକ୍ଷେପ ନେଲେ ତାହା ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ଜାରି ରହିଛି।