୭୪ ତମ ସାର୍ବଜନୀନ ଗଣେଶ ମେଳା ପ୍ରସ୍ତୁତି ନେଇ ସାମ୍ବାଦିକ ସମ୍ବିଳନୀ

ଦେବଗଡ଼,ଏନ୍ଏନ୍ଏସ୍‌: ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଗଣେଶ ମେଳା ଆୟୋଜନ ପାଇଁ ପ୍ରସିଦ୍ଧ ଦେବଗଡ଼ ଜିଲ୍ଲା ସାର୍ବଜନୀନ ଗଣେଶ ମେଳା କମିଟି ପକ୍ଷରୁ ଚଳିତ ବର୍ଷ ଆଗାମୀ ଗଣେଶ ମେଳା ଆୟୋଜନର ପ୍ରସ୍ତୁତି ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ସନ୍ଧ୍ୟାରେ ସ୍ଥାନୀୟ ହୋଟେଲ ରୋୖନକ ପ୍ଲାଜା ଠାରେ କମିଟି ସଭାପତି ଶମ୍ଭୁନାଥ ଗୋଏଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମିଳନୀରେ ଚଳିତବର୍ଷ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୮ ତାରିଖ ପର୍ଯ୍ୟନ୍ତ ଅଗ୍ରପୁଜ୍ୟ ଗଜାନନଙ୍କ ପୂଜା ଅନୁଷ୍ଠିତ ହେବାକୁ ଥିବାବେଳେ ସେପ୍ଟେମ୍ବର ୯ ତାରିଖ ଦିନ ଭସାଣୀ ଉତ୍ସବ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମ ରହିଥିବା ସୂଚନା ଦେଇଥିଲେ। ସେହିପରି ସେପ୍ଟେମ୍ବର ୧୧ ତାରିଖ ଦିନ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ଗଣେଶ ଲଡ଼ୁ ନିଲାମ କାର୍ଯ୍ୟକ୍ରମ ରହିଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ମେଳାକୁ ଉପଭୋଗ ପାଇଁ କମିଟି ପକ୍ଷରୁ ମୀନା ବଜାର, ଦୋଳି, ମେଲୋଡି, ଭଜନ ସନ୍ଧ୍ୟା, ଅପେରା ଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ପ୍ରତ୍ୟେକ ଦିନ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଛି। ସେହିପରି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ୪ ପ୍ଲାଟୁନରୁ ଊର୍ଦ୍ଧ୍ବ ପୁଲିସ ବଳ ମୃତୟନ କରାଯିବାକୁ ଥିବାବେଳେ ପରିମଳ, ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ବିଜୁଳିର ନିରବଚ୍ଛିନ୍ନ ସେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ଶୁକଦେବ ଭଞ୍ଜ, ଉପ ସଭାପତି ଅରୁଣ ଗୋଏଲ ଓ କୋଷାଧକ୍ଷ ଅଜୟ ମିଶ୍ରଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।