ଓରକେଲ ପୁଲିସ ଦ୍ୱାରା ୭୦ କିଲୋ ଗଞ୍ଜେଇ ଜବତ, ୬ ଗିରଫ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଓରକେଲ ପୁଲିସ ଦ୍ୱାରା ୭୦ କିଲୋ ଗଞ୍ଜେଇ ଜବତ, ୬ ଗିରଫ। ମିଳିଥିବା ସୂଚନା ଅନୁଯାୟୀ ଓରକେଲ ପୁଲିସର ଏକ ଟିମ ଏସଆଇ ମିଲନ ମଜୁମଦାରଙ୍କ ନେତୃତ୍ୱରେ ଏମଭି-୧୨୦ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ବିଳମ୍ବିତ ରାତିରେ ସୋରଲୁକୋଣ୍ଡା-ବେଜାଙ୍ଗିୱାଡା ମୁଖ୍ୟ ରାସ୍ତାର ସିନ୍ଧିଘାଟା ଗ୍ରାମ ନିକଟରେ ୬ ଜଣ ବ୍ୟକ୍ତି କିଛି ବସ୍ତା ଧରି ଛିଡା ହୋଇ ରହିଥିଲେ।

ପୁଲିସ ଗାଡିକୁ ଦେଖି ଉକ୍ତ ବ୍ୟକ୍ତି ମାନେ ଛତ୍ରଭଙ୍ଗ ଦେବା ସମୟରେ ପୁଲିସ ୫ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ପରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ କୋରୁକୋଣ୍ଡା ନିକଟରୁ ପୁଲିସ ଗିରଫ କରିଥିଲା। ଗିରଫ ବ୍ୟକ୍ତି ମାନଙ୍କ ମଧ୍ୟରେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ସାପଲୁର ଅଞ୍ଚଳର ସର୍ବରାମ ରାଓ(୩୨), ପରୀ ନାଗେଶ ରାଓ(୨୦), ସୋମା କୁଟୁମା(୩୦) ଏବଂ ନାଗେଶ କସା(୨୬) ରହିଛନ୍ତି।

ସେହିପରି ଅନ୍ୟ ୨ ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଏମଭି-୧୨୩ ଅଞ୍ଚଳର ରଞ୍ଜନ ସରକାର(୩୨) ଓ ଅନ୍ୟ ଜଣେ ଏମଭି-୪୬ ଅଞ୍ଚଳର କାର୍ତ୍ତିକ ମଣ୍ଡଳ(୩୫) ଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ ଲକ୍ଷ ୪୦ ହଜାର ହେବ ବୋଲି ତଦନ୍ତକାରୀ ଅଧିକାରୀ କୃଷ୍ଣ ସାହା ସୂଚନା ଦେଇଛନ୍ତି। ୬ ଜଣଙ୍କୁ ଗିରଫ କରି ଓରକେଲ ପୁଲିସ କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀ ସୂଚନା ଦେଇଛନ୍ତି।