କେସିଙ୍ଗା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୁଲିସକୁ ବଡ଼ ସଫଳତା ମିଳିଛି । ପୁଲିସ ନଗଦ୧ଲକ୍ଷ ୧୨ ହଜାର ଟଙ୍କା, ଲକ୍ଷାଧିକ ଟଙ୍କାର ଗହଣା ସହ ଏକ ଡକାୟତି ଦଳକୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ କ୍ଷିତିଶ ରଣା(୨୮), ଧୋବା ଖର୍ସେଲ(୩୦), ଦୈତାରି କରୁଆ(୨୬), ରୁକମଣ ରଣା(୨୨), ବବଲୁ ଦୀପ(୨୪), ବିପେଶ ରଣା(୧୭) ଓ ମାଷ୍ଟରମାଇଣ୍ଡ ସୁବିଧା ରଣା ଓରଫ ଉର୍ମିଲା ରଣା(୫୦) ।
ଗତ୨୯ ତାରିଖରେ କେସିଙ୍ଗା ୱାର୍ଡ ନମ୍ବର ୯ କଲେଜ ରୋଡରେ ଥିବା ଲୁହା ଓ କୃଷି ଉଦ୍ୟୋଗ ମାଲିକ ସୁଭାଷ ଅଗ୍ରୱାଲଙ୍କ ଘରୁ ରାତି ପାଖାପାଖି ୨ ଟା ସମୟରେ ୯ ଜଣ ଡକାୟତ ଘର ପଛ ଗେଟ ଭାଙ୍ଗି ମାରଣାସ୍ତ୍ର ଦେଖାଇ ଲକର ଭାଙ୍ଗି ନଗଦ ୬ ଲକ୍ଷ ଟଙ୍କା, ସୁନା ଓ ରୂପା ଗହଣା ଚୋରି କରି ଚମ୍ପଟ ମାରିଥିଲେ ଯାହାକି କେସିଙ୍ଗା ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । କେସିଙ୍ଗା ଏସଡିପିଓ ରୋହିତ ବର୍ମାଙ୍କ ନେତୃତ୍ୱରେ କେସିଙ୍ଗା ଆଇଆଇସି ସତ୍ୟ କୁମାର ନନ୍ଦ ଓ ଅନ୍ୟ ପୁଲିସ ଅଧିକାରଙ୍କୁ ନେଇ ବିଭିନ୍ନ ଟିମ ଗଠନ କରାଯାଇଥିଲା । କେସିଙ୍ଗା ପୁଲିସ ସଫଳତାର ସହ ଡକାୟତଙ୍କୁ ଗିରଫ କରି ଚୋରି ହୋଇଥିବା ୧ଲକ୍ଷ ୧୨ ହଜାର ଟଙ୍କା, ଗୋଟିଏ ସୁନା ଚେନ, ଗୋଟିଏ ସୁନା ମୁଦି, ୨ଟି କାନଫୁଲ, ଗୋଟିଏ ମଙ୍ଗଳସୁତ୍ର, ୪ଟି ଚୁଡ଼ି,୩ଟି ହାତ ମୁଦି, ଗୋଟିଏ ଡାଇମଣ୍ଡ ବ୍ରେସଲେଟ, ୨ଟି ମୋବାଇଲ ଫୋନ ସହ ଚୋରି ହୋଇଥିବା ବହୁ ମୂଲ୍ୟବାନ ଜିନିଷ ପତ୍ର ଜବତ କରିବା ସହ ଡକାୟତିରେ ବ୍ୟବହୃତ ହୋଇଥିବା ଗୋଟିଏ ଛୁରୀ, ଗୋଟିଏ ଲୁହା ରଡ଼, ଗୋଟିଏ ସ୍କୃଡ୍ରାଇଭର, ଗୋଟିଏ କ୍ରୋବାର, ସହ ଡକାୟତମାନେ ବ୍ୟବହାର କରୁଥିବା ୨ଟି ମୋଟର ସାଇକେଲ, ୪ଟି ମୋବାଇଲକୁ ମଧ୍ୟ ଜବତ କରିଥିବା କଳାହାଣ୍ଡି ଆରକ୍ଷୀ ନିରୀକ୍ଷକ ଅଭିଳାଷ ଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ମାଷ୍ଟରମାଇଣ୍ଡ ଉର୍ମିଲା ବ୍ୟବସାୟୀ ସୁଭାଷ ଅଗ୍ରବାଲଙ୍କ ଘରେ ଚାକରାଣୀ ଭାବେ କାମ କରୁଥିଲେ ଏବଂ ସମସ୍ତ ସୂଚନା ଡକାୟତଙ୍କୁ ଦେଉଥିଲେ । ଉକ୍ତ ମାମଲାରେ ବର୍ତ୍ତମାନ ତଦନ୍ତ ଜାରି ରହିଥିବାବେଳେ ଏଥିରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ତା’ର ତଦନ୍ତ ଜାରି ରହିଛି ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି ।