କୋରାପୁଟ ଟାଉନ୍ ଥାନା ପୁଲିସ ଦ୍ୱାରା ୭ ବାଇକ ଲୁଟେରା ଗିରଫ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଟାଉନ ଥାନା ପୁଲିସ ଦ୍ୱାରା ୭ ଜଣ ବାଇକ ଲୁଟେରାଙ୍କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ଧୀରେନ୍ ପଟ୍ଟନାୟକ ସୂଚନା ଦେଇଛନ୍ତି। କୋରାପୁଟ ସହରର ଟିକିରା ସାହି, ଗାନ୍ଧୀ ନଗର ଓ ଏମଏମଆର୍ ଛକରୁ ବାଇକ ବୋରି ହୋଇଥିବା ଥାନାରେ ଅଭିଯୋଗ ହେବାପରେ ଏସପିଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା।

ସବ-ଇନସ୍ପେକ୍ଟର ଚିତ୍ତ ରଞ୍ଜନ ପ୍ରଧାନ, ସୁଦର୍ଶନ ଅଧିକାରୀ ଓ ଯଶୋବନ୍ତ ସେଲମାଙ୍କ ନେତୃତ୍ୱରେ ଗଠିତ ଟିମ୍ ଜଣେ ଅଭିଯୁକ୍ତକୁ ଧରିବା ପରେ ତାର ବୟାନ ଅନୁଯାୟୀ ସ୍ପେସିଆଲ୍ ଟିମ୍ ବୈପାରିଗୁଡା, ମାଲକାନଗିରି ଓ ଜୟପୁରରେ ଚଢ଼ଉ କରି ୯ଟି ବାଇକ ଜବତ କରିଥିଲେ। ଜବତ ବାଇକ୍ ମଧ୍ୟରେ ୪ଟି ପଲସର ରହିଥିବା ବେଳେ ୫ଟି ଆପାଚି ରହିଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି। ୩ଟି ବାଇକ୍ କୋରାପୁଟ ଅଞ୍ଚଳର ହୋଇଥିବା ବେଳେ ସାଲୁର, ଜଗଦଲପୁର, ରାୟଗଡ଼ା ଓ ନବରଙ୍ଗପୁର ଅଞ୍ଚଳର ଗୋଟିଏ ଲେଖାଏଁ ବାଇକ ଥିବା ପୁଲିସ ସୂଚନା ଦେଇଛି।

୭ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ନାବାଳକ ଥିବା ଜଣାପଡିଛି। ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି।