ବେଆଇନ ଗୋରୁ ଚାଲାଣ ଘଟଣାରେ ୭ ଗିରଫ, ୨୨ ଗୋରୁ ଉଦ୍ଧାର

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଅନ୍ତର୍ଗତ ତିଲେଇବଣୀ ଦେଇ ଯାଇଥିବା ୪୯ନଂ ଜାତୀୟ ରାଜପଥରେ ଦେବଗଡ଼ ଥାନା ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ  ଏକ ବେଆଇନ ଗୋରୁ ବୋଝେଇ ଟ୍ରକକୁ ଜବତ କରିବା ସହ ୨୨ ଗୋରୁଙ୍କୁ ଉଦ୍ଧାର କରିଛି। ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ରାଜ କିଶୋର ପାଇକରାୟ ଏ ସମ୍ପର୍କିତ ତଥ୍ୟ ପ୍ରଦାନ କରିଛନ୍ତି।

ସୂଚନା ଅନୁଯାୟୀ ବରଗଡ଼ ଜିଲ୍ଲାରୁ ଏକ ଟ୍ରକ ଯୋଗେ ୨୨ଟି ଗୋରୁ କୋଲକାତା ଅଭିମୁଖେ ଚାଲାଣ ହେଉଥିଲା। ଟ୍ରକକୁ ସୁରକ୍ଷା ଦେବା ପାଇଁ ଏକ କାରରେ ୫ ଜଣ ଯୁବକ ଯାଉଥିଲେ। ଏହି ଚାଲାଣ ସମ୍ପର୍କରେ ଖବରପାଇ ପୁଲିସର ସ୍ୱତନ୍ତ୍ର ସ୍କ୍ୱାଡ୍ ତିଲେଇବଣୀ ନିକଟସ୍ଥ ୪୯ନଂ ଜାତୀୟ ରାଜପଥରେ ଯାଞ୍ଚ  ଆରମ୍ଭ କରିଥିଲେ। ଯାଞ୍ଚ ସମୟରେ ବେଆଇନ ଗୋରୁ ଚାଲାଣ ହେଉଥିବା ଟ୍ରକ ଓ କାରକୁ ପୁଲିସ ଧରିଥିଲା।

ଟ୍ରକ ଚାଳକ ଜଣଙ୍କ ବରଗଡ଼ ଜିଲ୍ଲା ଅତାବିରା ଗ୍ରାମର ରାକେଶ ନ୍ଧଶଳ(୨୪) ଓ ସହାୟକ ଶଙ୍କର ବରିହା (୨୭)ଙ୍କ ସମେତ ସୁରକ୍ଷା ଦେଇ କାରରେ ଯାଉଥିବା ବରଗଡ଼ ଜିଲ୍ଲାର ଝାରାଖଣ୍ଡା ଗ୍ରାମର କୈଳାଶ ସୁନା (୩୨), ଅତାବିରାର ଶ୍ରୀକାନ୍ତ ସୁନା (୩୩), ସଗନ ବାରିକ(୨୫), ରାଜାରାମ ଚୈଧୁରୀ (୩୦) ଓ ଶିବ ରାଓ (୨୯)ଙ୍କୁ ଗିରଫ କରିଛି। ସେହିପରି ଗୋରୁ ଚାଲାଣରେ ବ୍ୟବହୃତ ଟ୍ରକ (ଓଡି-୧୫ଜି-୬୬୮୯) ଓ କାର (ଓଡି-୧୫ଆର-୪୮୬୦) କୁ ଜବତ କରିଥିବା ଜଣାପଡ଼ିଛି।