କଫ ସିରପ୍ ର‌୍ୟାକେଟ୍ : ୭ ଗିରଫ

ସମ୍ବଲପୁର,ଏନ୍ଏନ୍ଏସ୍ : ସମ୍ବଲପୁର ଜିଲ୍ଲାରେ ବେଆଇନ କଫସିରପ କାରବାର ନିୟନ୍ତ୍ରଣ ଦିଗରେ ଜିଲ୍ଲା ପୁଲିସକୁ ବଡ଼ ଧରଣର ସଫଳତା ମିଳିଛି। ଏଥିପାଇଁ ଗଠିତ ସ୍ୱତନ୍ତ୍ର ଟାସ୍କଫୋର୍ସ (ଏସଟିଏଫ୍) ଅଇଁଠାପାଲି ଥାନା ପୁଲିସ ସହାୟତାରେ କଫ ସିରପ୍ ସ୍ମଗଲିଂର ଜଣେ ମହିଳାଙ୍କ ସମେତ ତିନିଜଣ କିଙ୍ଗ ପିନ ଓ ୪ ଜଣ ଦଲାଲ ମୋଟ ୭ଜଣଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର କଫସିରପ , ୩ଟି ବାଇକ, ୯ଟି ମୋବାଇଲ ଓ ନଗଦ ୩୬ହଜାର ୩୦ ଟଙ୍କା ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁର ନିଖିଲ ଓରଫ ସୁଶାନ୍ତ ମୁଣ୍ଡା (୨୯), ବିଜୁ ମଲ୍ଲିକ (୨୧), ଦୁର୍ବାଦଳ କୁମ୍ଭାର (୨୨), ରୋସନ ଓରଫ କାହ୍ନା ମେହେର (୨୮), ସମୀର ସ୍ୱାଗତ (୨୨) ଓ ଶାନ୍ତନୁ ଦାସ (୨୮) ତଥା ଝାରସୁଗୁଡ଼ାର ଶକୁନ୍ତଳା ଓରଫ ପିଙ୍କି ମେହେର (୨୬)।

ବୁଧବାର ଅପରାହ୍ଣରେ ଅଇଁଠାପାଲି ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସଟିଏଫ୍ ମୁଖ୍ୟ ତଥା ଟ୍ରାଫିକ୍ ଡିଏସପି ହିମାଂଶୁ ବେହେରା ସୂଚନା ଦେଇ କହିଛନ୍ତି ଯେ, ଏସଟିଏଫ୍ ଦ୍ୱାରା ନିୟୋଜିତ ଜଣେ ବ୍ୟକ୍ତିଙ୍କ ସୂଚନାକ୍ରମେ ଉପରୋକ୍ତ ବେଆଇନ କଫ ସିରପ କାରବାର ଧରାପଡିଛି। ଅଭିଯୁକ୍ତମାନେ ବାହାରୁ କଫ ସିରପ ସ୍ମଗଲିଂ କରି ଆଣି ସମ୍ବଲପୁର ତଥା ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଦଲାଲଙ୍କ ଜରିଆରେ ଯୋଗାଣ କରୁଛନ୍ତି । ଚଢ଼ଉରେ ସେମାନଙ୍କ ପାଖରୁ ୧୦୦ ଏମଏଲର ୫୦୮ ବୋତଲ ଏସ୍ କଫ ସିରଫ ଓ ୯୬ ବୋତଲ କଡିମେକ୍ସ ଟି କଫ ସିରପ୍ ଜବତ ହୋଇଥିବା ସେ ସୂଚନା ଦେଇଛନ୍ତି।

ବେଆଇନ କଫସିରପ କାରବାର ନେଇ ଜିଲ୍ଲା ପୁଲିସର ଏହି ଅଭିଯାନରେ ଜନସାଧାରଣ ସହଯୋଗ କରିବାକୁ ଶ୍ରୀ ବେହେରା ଅନୁରୋଧ କରିବା ସହ ଏ ବାବଦରେ ଯେ କୌଣସି ସୂଚନା ଏସପି ଡା. କନୱର ବିଶାଲ ସିଂହଙ୍କୁ ୯୪୩୮୯୧୬୫୫୦ ନମ୍ବର ଫୋନରେ ହ୍ୱାଟଅପ କିମ୍ବା କଲ କରି ଦିଆଗଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅଇଁଠାପାଲି ଥାନା ଆଇଆଇସି ଯୋଗେଶ ପଣ୍ଡା ଓ ଏସଟିଏଫର ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।