ପାକିସ୍ତାନ ଜେଲରୁ ଫେରିଲେ ୬୫ ବର୍ଷୀୟ ଭାରତୀୟ ମହିଳା

ଔରଙ୍ଗବାଦା,ଏଜେନ୍ସି: ସ୍ୱାମୀଙ୍କ ସଂପର୍କୀୟଙ୍କୁ ଭେଟିବାକୁ ପାକିସ୍ତାନ ଯାଇ ସେଠାରେ ଜେଲ କାଟିଥିବା ଭାରତୀୟ ମହିଳା ସ୍ୱଦେଶ ଫେରିଛନ୍ତି। ୬୫ ବର୍ଷୀୟ ମହିଳା ହାସିନା ବେଗମ ୧୮ ବର୍ଷ ପୂର୍ବରୁ ସ୍ୱାମୀଙ୍କ ସଂପର୍କୀୟଙ୍କୁ ଦେଖାକରିବା ପାଇଁ ପାକିସ୍ତାନ ଯାଇଥିଲେ। କିନ୍ତୁ ସେ ନିଜର ପାସପୋର୍ଟ ହଜାଇ ଦେବା ପରେ ତାଙ୍କୁ ସେଠାରେ ଜେଲରେ ଦିନ କାଟିବାକୁ ପଡ଼ିଥିଲା। ଜେଲ ଅବଧି ଶେଷ ହେବା ପରେ ହାସିନା ବେଗମ ମହାରାଷ୍ଟ୍ରର ଔରଙ୍ଗାବାଦସ୍ଥିତ ନିଜ ଘରକୁ ଫେରିଛନ୍ତି।

ଘରକୁ ପହଞ୍ଚିବା ପରେ ତାଙ୍କୁ ଔରଙ୍ଗାବାଦ ପୁଲିସ ଓ ପରିବାର ଲୋକେ ସ୍ୱାଗତ ଜଣାଇଛନ୍ତି। ସ୍ୱଦେଶକୁ ଫେରିବା ପରେ ହାସିନା ବେଗମ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ସେଠାରେ ମୁଁ ବହୁତ କଷ୍ଟ ଅନୁଭବ କରିଛି। କିନ୍ତୁ ଏବେ ମୋତେ ଶାନ୍ତି ମିଳିପାରିଛି। ବର୍ତ୍ତମାନ ମୁଁ ଭାବୁଛି ସ୍ୱର୍ଗ ମିଳିଯାଇଛି। ମୋତେ ବଳପୂର୍ବକ ଭାବେ ଜେଲରେ ଭର୍ତ୍ତି କରାଯାଇଥିଲା।